ମୋଦିଙ୍କ ବିପକ୍ଷରେ ତେଜ ବାହାଦୁର ଦାଖଲ କରିଥିବା ନାମାଙ୍କନ ନାକଚ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶ ବାରାଣସୀ ଲୋକସଭା ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ନାମାଙ୍କନ ଦାଖଲ କରିଥିଲେ ବି.ଏସ.ଏଫ. ରୁ ବହିଷ୍କୃତ ହୋଇଥିବା ଯବାନ ତେଜ ବାହାଦୁର ଯାଦବ । ସେ ସମାଜବାଦୀ ପାର୍ଟି ଟିକେଟ୍ରେ ଏଠାରୁ ପ୍ରାର୍ଥୀ ହୋଇଥିଲେ । ତେଜ ବାହାଦୁର ଦାଖଲ କରିଥିବା ନାମାଙ୍କନ ତଥ୍ୟରେ ବିଭେଦ ରହିଥିବାରୁ ନିର୍ବାଚନ କମିଶନ ତାଙ୍କୁ ନୋଟିସ୍ ପଠାଇଥିବା ବେଳେ ଆଜି ନୋଟିସର ଉତ୍ତର ରଖିବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଆଜି ଅପରାହ୍ନ ୩.୩୫ରେ ଜିଲ୍ଲା ନିର୍ବାଚନ ଅଧିକାରୀ ତେଜ ବାହାଦୁରଙ୍କ ନାମାଙ୍କନ ନାକଜ କରିଦେଇଛନ୍ତି । ତେଜ ବାହାଦୁର ଏହା ବିରୁଦ୍ଧରେ ଅଦାଲତର ଆଶ୍ରୟ ନେବେ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, ନାମାଙ୍କନ ଦାଖଲ କରିବା ସମୟରେ ତେଜ ବାହାଦୁର ବିଏସଫରୁ ବହିଷ୍କୃତ ହୋଇଥିବା ସ୍ୱୀକାର କରିଥିଲେ । ହେଲେ କୌଣସି କାରଣରୁ ସେ ପୁଣିଥରେ ନାମାଙ୍କନ ଦାଖଲ କରିଥିଲେ । ଯେଉଁଥିରେ ସେ କାହିଁକି ବହିଷୃତ ହୋଇଛନ୍ତି ସେଥିରେ ଅଲଗା କାରଣ ଦର୍ଶାଇଥିଲେ । ଦୁଇଟି ନାମାଙ୍କନ ପତ୍ରରେ ବହିଷ୍କୃତ ହେବାର କାରଣ ମଧ୍ୟରେ ବିଭେଦ ରହିବାରୁ ନିର୍ବାଚନ କମିଶନ ତେଜ ବାହାଦୁରଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ ।
ସେନାର ଅନୁଶାସନକୁ ଉଲ୍ଲଂଘନ କରୁଥିବା ଦର୍ଶାଇ କେନ୍ଦ୍ର ସରକାର ତେଜ ବାହାଦୁର ଯାଦବ ୨୦୧୭ ରେ ବିଏସଫରୁ ୫ ବର୍ଷ ପାଇଁ ବହିଷ୍କୃତ କରିଥିଲେ।