ଆସନ୍ତା ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କୁ ମିଳିବ ଇ-ମାର୍କସିଟ୍

0

ରାଜ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସିବିଏସ୍‌ଇ ଢାଞ୍ଚାକୁ ଅନୁକରଣ କରିଥିବା ବେଳେ ଡିଜିଟାଲ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇଛି । ପରୀକ୍ଷା ପରିଚାଳନା ଏବଂ ଫଳ ପ୍ରକାଶରେ ଡିଜିଟାଇଲେଜେସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ସିବିଏସ୍‌ଇ ଯେପରି ପେପରଲେସ୍ ବ୍ୟବସ୍ଥା ପ୍ରଚଳନ କରି ପାସ୍ ଛାତ୍ରଛାତ୍ରୀଙ୍କୁ ଇ-ମାର୍କସିଟ୍ ପ୍ରଦାନ କରୁଛି ସେହି ବ୍ୟବସ୍ଥା ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ବ୍ଲୁ-ପ୍ରିଣ୍ଟସ ପ୍ରସ୍ତୁତ କରିଛି । ଏହି ବ୍ୟବସ୍ଥା ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ।

ନିଷ୍ପତ୍ତି ଅନୁଯାୟୀ, ଏଣିକି ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଆଉ ହାତଲେଖା ମାର୍କ ସିଟ୍ ମିଳିବ ନାହିଁ । ପ୍ରତି ବଦଳରେ ଛାତ୍ରଛାତ୍ରୀଙ୍କୁ ଇ-ମାର୍କସିଟ୍ ପ୍ରଦାନ କରାଯିବ । ଏହାଦ୍ୱାରା ବିଭାଗ ଅତି କମ୍‌ରେ ବର୍ଷକୁ ଏକ କୋଟି ୬୬ ଲକ୍ଷ ଟଙ୍କା ସଞ୍ଚୟ କରିବା ସହ ମାର୍କସିଟ୍ ବ୍ୟବସ୍ଥାକୁ ମଧ୍ୟ ସଠିକ ଢଙ୍ଗରେ ପରିଚାଳିତ କରିପାରିବ ବୋଲି ଆଶା ରଖିଛି । ଯଦି ଏହି ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହୁଏ ତେବେ ବୋର୍ଡ ପରୀକ୍ଷାକୁ ବାଦଦେଲେ ବିଭାଗ ପକ୍ଷରୁ ପରିଚାଳିତ ସମସ୍ତ ପରୀକ୍ଷାରେ କୃତୀ ପିଲାଙ୍କୁ ଇ-ମାର୍କସିଟ୍ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନରେ ବିକାଶ ଏବଂ ଉନ୍ନତ ଭିତ୍ତିଭୂମି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରଥମଥର ଲାଗି ପୁଣି ଏକ ଅଭିନବ ପ୍ରୟାସ ଆରମ୍ଭ ହେବ ।

ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ପରୀକ୍ଷାର ମାର୍କସିଟ୍ ପୂର୍ବଭଳି ପ୍ରୋଗ୍ରେସ ରିପୋର୍ଟ ମାଧ୍ୟମରେ ନଦେଇ ଇ-ମାର୍କସିଟ୍ ମାଧ୍ୟମରେ ଦେବାକୁ ଯୋଜନା କରାଯାଇଛି । ପୂର୍ବରୁ ଏହି ବ୍ୟବସ୍ଥା ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯଦି ଏହି ବ୍ୟବସ୍ଥା ଲାଗୁ କରାଯାଏ ତେବେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହେବ ।

 

Leave a comment