ପଣା ସଂକ୍ରାନ୍ତି ଉପଲକ୍ଷେ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ପଣା ପ୍ରସ୍ତୁତି ପର୍ବ ଅନୁଷ୍ଠିତ

0

ଭୁବନେଶ୍ବର(ଓଡିଶା ଫାଷ୍ଟ ବ୍ୟୁରୋ): ପଣା ହେଉଛି ଓଡିଆ ମାନଙ୍କ ଏକ ପ୍ରମୁଖ ପାନୀୟ । ସୁନ୍ଦର ସ୍ବାସ୍ଥ ଏବଂ ଅତିଥି ସତ୍କାର ନିମନ୍ତେ ପଣା ହେଉଛି ଏକ ସ୍ବାଦିଷ୍ଟ ପାନୀୟ । ଏହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡିଆ ନବ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ସହିଦନଗରସ୍ଥିତ ‘ନିମନ୍ତ୍ରଣ’ରେ ପଣା ପ୍ରସ୍ତୁତି ପର୍ବ ବହୁ ଆଡମ୍ବରରେ ପାଳିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ମିଳିତ ଆନୁକୂଲ୍ଯରେ ଆୟୋଜନ କରାଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର କହିଲେ ଯେ ଓଡିଶାର ସଂସ୍କୃତି ସହ ପଣା ଅଙ୍ଗାଅଙ୍ଗୀ ଭାବେ ଜଡିତ । ଖୁସିର ବିଷୟ ହେଉଛି ଓଡିଆ ମାନଙ୍କ ନବ ବର୍ଷ ପଣା ସଂକ୍ରାନ୍ତିରୁ ଆରମ୍ଭ ହେଉଛି । କ୍ଷୀର, ଛେନା, ଗୁଡ, ବେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ପାରମ୍ପରିକ ଭାବେ ଏହି ତୃଷ୍ଣା ମେଣ୍ଟାଉଥିବା ପାନୀୟ ପ୍ରସ୍ତୁତ କରାଯାଏ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ । ଏହି ଅବସରରେ ଶ୍ରୀ ପାତ୍ର ଜନପଥରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜଳ ଛତ୍ରର ଉଦଘାଟନ କରିଥିଲେ । ଏହାଦ୍ବାରା ପଥଚାରୀ ମାନେ ଦେୟମୁକ୍ତ ଭାବେ ପାଣି ପିଇ ପାରିବେ । ସେହିଭଳି ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ରାଜ୍ୟର ପ୍ରମୁଖ ୩୦ଟି ସ୍ଥାନରେ ମଧ୍ୟ ଜଳଛତ୍ର ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ।

ଏହି ଅବସରରେ ନିମନ୍ତ୍ରଣର ମୁଖ୍ୟ ସେଫ ଶ୍ରୀ ସଞ୍ଜୟ ସରକାର ପଣା ପ୍ରସ୍ତୁତି ପ୍ରକ୍ରିୟା ସଂପର୍କରେ ଉପସ୍ଥାପନ କରିଥିଲେ । ପ୍ରାୟ ୨୫ ଜଣ ସେଲିବ୍ରିଟି ସେଫ ଏଫ ଫୁଡ ବ୍ଲଗର ମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ବେଲ ଏବଂ ଛେନା ଓ ବିଭିନ୍ନ ଫଳକୁ ମୁଖ୍ୟ ସାମଗ୍ରୀ ଭାବେ ନେଇ ଦୁଇ ପ୍ରକାର ପଣା ପ୍ରସ୍ତୁତ କରାଯାଇଥିଲା । ସେହିଭଳି ଶରୀର ଶୁଦ୍ଧ ନିମନ୍ତେ ଧନିଆ ପତ୍ର, ସତେଜ ପନିପରିବା, ଫଳ ଓ ମହୁକୁ ନେଇ ମଧ୍ୟ ଏକ ପଣା ପ୍ରସ୍ତୁତ କରାଯାଇଥିଲା ।

ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ କଥାବାର୍ତ୍ତା ବେଳେ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ପଣାର ସ୍ବାସ୍ଥ୍ୟ ଉପକାରିତା ଓ ଶୋଷ ମେଣ୍ଟାଇବାରେ ଏହାର ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ । ଏହି ପାରମ୍ପରିକ ପାନୀୟର ପ୍ରଚାର ଓ ପ୍ରସାର ନିମନ୍ତେ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଅତିରିକ୍ତ ସଚିବ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ, ଯୁଗ୍ମ ସଚିବ ଶ୍ରୀମତୀ ଏଲୋରା ଭାରତୀ ଜେନା, ଆର୍ଥିକ ପରାମର୍ଶଦାତା ଶ୍ରୀ ରାଜକିଶୋର ପଲେଇ, ଓଟିଡିସି ଜେନେରାଲ ମ୍ୟାନେଜର ଶ୍ରୀ ଲଗ୍ନଜିତ ରାଉତ, ମ୍ୟାନେଜର ଅଭିଜିତ ସ୍ବାଇଁ, ପର୍ଯ୍ୟଟନ ବିଭାଗ ଓଏସଡି ଶ୍ରୀ ଅଂଶୁମାନ ରଥ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଆ ନବବର୍ଷ ଉପଲକ୍ଷେ ନିମନ୍ତ୍ରଣକୁ ଆସୁଥିବା ସମସ୍ତ ଅତିଥି ମାନଙ୍କୁ ଶୁଦ୍ଧ ନିରାମିଷ ସ୍ବତନ୍ତ୍ର ସଂକ୍ରାନ୍ତି ମିଲ ପରଷା ଯିବ ବୋଲି ଘୋଷଣା କରାଯାଇଥିଲା ।

ଏହି ଅବସରେ ସେଲିବ୍ରିଟି ସେଫ ଏବଂ ଫୁଡ ବ୍ଲଗର ମାନଙ୍କୁ ଉପହାର ସ୍ବରୂପ ନୂତନ ବର୍ଷର ଓଡିଆ ପାଞ୍ଜି ଏବଂ ଓଡିଆ କ୍ୟାଲେଣ୍ତର ପ୍ରଦାନ କରାଯାଇଥିଲା ।

Leave a comment