ପୋଲିସ କବଜାରେ ଜାଲ୍ ନୋଟ୍ କାରବାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ୍ ପୋଲିସ୍‌ ଜାଲ୍ ନୋଟ୍ କାରବାର କରୁଥିବା ଏକ ଗ୍ୟାଙ୍ଗକୁ ଗିରଫ କରିଛି। ଏହି ନକଲି ନୋଟ୍ ବ୍ରହ୍ମପୁରରେ ଛପାଯାଇ ଭୁବନେଶ୍ୱର ମାର୍କେଟ ରେ ଛାଡ଼ୁ ଥିଲେ।

ଗତକାଲି କମିଶନରେଟ୍ ପୋଲିସ୍‌ର ଏକ ଟିମ୍ ଏହି ନକଲି ନୋଟ୍ ଛପା ହେଉଥିବା କାରଖାନା ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ମାଷ୍ଟର୍‌ମାଇଣ୍ଡ୍‌ଙ୍କ ସମେତ ଦୁଇ ଜଣଙ୍କୁ ଗିରଫ ସହ ନକଲି ନୋଟ୍ ଛାପିବା ପାଇଁ ବ୍ୟବହୃତ ହେଉଥିବା ମେସିନ୍‌ ଓ ଅନ୍ୟାନ୍ୟ ସାମଗ୍ରୀକୁ ପୋଲିସ୍ ଜବତ କରିଛି। ସେମାନଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କାର ଜାଲ୍‌ ନୋଟ୍ ଜବତ କରାଯାଇଥିଲା। ଏଥିମଧ୍ୟରେ ଦୁଇ ହଜାର, ପାଞ୍ଚ ଶହ, ଦୁଇ ଶହ ଓ ପଚାଶ ଟଙ୍କିଆ ନୋଟ୍ ରହିଛି।

ଭୁବନେଶ୍ୱରର ତମାଣ୍ଡୋ ଥାନା ପୋଲିସ୍ ଜାଲ୍ ନୋଟ୍ କାରବାର ନେଇ ତିନି ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କଠାରୁ ବ୍ରହ୍ମପୁରର ଏହି ନକଲି ନୋଟ୍ ଛାପା କାରଖାନା ସମ୍ପର୍କରେ ଜଣାପଡ଼ିଥିଲା। ଏହି ତଥ୍ୟକୁ ଆଧାର କରି କମିଶନରେଟ୍ ପୋଲିସ୍‌ର କୁଇକ୍ ଆକ୍ସନ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଆଉ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଏହି ଜାଲ୍ ନୋଟ୍ ଗୁଡ଼ିକୁ ବ୍ରାଉନ୍‌ସୁଗାର୍‌, ହନୁମାନ ପଇସା ଏବଂ ବିରଳ ବନ୍ୟଜନ୍ତୁ କିଣାବିକାରେ ଏହି ଜାଲ୍ ନୋଟ୍ ବ୍ୟବହାର କରାଯାଉଥିଲା ବୋଲି ଜଣାପଡ଼ିଛି। ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ଅଞ୍ଚଳକୁ ମଧ୍ୟ ଏମାନେ ନକଲି ନୋଟ୍ ପଠାଉ ଥିବା ଜଣାପଡ଼ିଛି। ସେମାନେ ବିଶେଷ କରି ଶିଳ୍ପାନୁଷ୍ଠାନ ଥିବା ସହରଗୁଡ଼ିକୁ ଟାର୍ଗେଟ୍ କରୁଥିଲେ। ତେବେ ସେମାନେ କେତେ ଜାଲ୍ ନୋଟ୍ ବଜାରକୁ ଛାଡ଼ିଛନ୍ତି ଏନେଇ ପୋଲିସ ଅଧିକ ତଦନ୍ତ କରୁଛି।

Leave a comment

You cannot copy content of this page