ନକଲି ଡାକ୍ତରଙ୍କ ଚିକିତ୍ସା ଯୋଗୁଁ ନାବାଳକଙ୍କ ଜୀବନ ଗଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନକଲି ଡାକ୍ତର ବା କ୍ୱାକ୍ଙ୍କ ଚିକିତ୍ସା ଯୋଗୁଁ ଅନେକ ସମୟରେ ବହୁ ଅଘଟଣ ଘଟୁଥିବା ବେଳେ ଲୋକମାନେ ସଚେତନ ହେଉ ନଥିବା ଦେଖାଯାଉଛି। ତେବେ ଜଣେ କ୍ୱାକ୍ଙ୍କ ଚିକିତ୍ସା ଯୋଗୁଁ ରବିବାର ପ୍ରାଣ ହରାଇଛନ୍ତି ଜନୈକ ନାବାଳକ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିକଣା ପୋଖରୀସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗ୍ରାମର ମେଘନାଦ ବାରିକଙ୍କ ୧୪ ବର୍ଷର ପୁଅ ସୁବ୍ରତଙ୍କୁ ଜଣେ କ୍ୱାକ୍ ଇଂଜେକସନ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ମେଘନାଦ ଅଭିଯୋଗ କରିଛନ୍ତି। ସୁବ୍ରତଙ୍କୁ ଜ୍ୱର ହୋଇଥିବା ଯୋଗୁଁ ପରିବାର ଲୋକେ ତାଙ୍କୁ କ୍ୱାକ୍ ଇନ୍ଦ୍ରଜିତ୍ଙ୍କ ପାଖକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ଇନ୍ଦ୍ରଜିତ୍ ତାଙ୍କୁ ଜ୍ୱର ଭଲ ହେବା ପାଇଁ ଏକ ଇଂଜେକସନ ଦେଇଥିଲେ। ଏହାର ମାତ୍ର କିଛି ସମୟ ପରେ ସୁବ୍ରତ ଚେତାଶୂନ୍ୟ ହୋଇ ପଡିଥିଲେ। ତେବେ ପରିବାର ଲୋକେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେବା ବାଟରେ ସୁବ୍ରତଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଜଣାପଡିବା ପରେ ଉକ୍ତ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ନକଲି ଡାକ୍ତର ବା କ୍ୱାକ୍ ଇନ୍ଦ୍ରଜିତ୍ଙ୍କୁ ଅଟକ ରଖିଥିଲେ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଇନ୍ଦ୍ରଜିତ୍ଙ୍କୁ ଗିରଫ କରିବା ସହ ଥାନାରେ ପଚରାଉଚୁରା କରୁଛି। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୧୧୩/୧୮ ନଂ. ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଆଇଆଇସି ସୁକାନ୍ତ କୁମାର ପାତ୍ର କହିଛନ୍ତି।