ଏହି କାରଣ ଯୋଗୁଁ ପିତା-ମାତା ହେବାରୁ ବଞ୍ଚିତ ହେବାକୁ ପଡେ !
ସୁସ୍ଥ ଜୀବନ ପାଇଁ ସୁସ୍ଥ ଖାଦ୍ୟ ଓ ବ୍ୟାୟାମ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଅନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏହା ବ୍ୟତୀତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବୁଝାଇଥାନ୍ତି । ପୁଷ୍ଟିକର ଖାଦ୍ୟ ଏବଂ ବ୍ୟାୟାମ ପରି ଶୋଇବା ଆମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ।
ନିଦ୍ରାର ଅଭାବ ଅନେକ ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ରକ୍ତଚାପ, ହୃଦ୍ରୋଗର ଆଶଙ୍କା ମଧ୍ୟ ବଢିପାରେ । ଏହିପରିପ୍ରେକ୍ଷୀରେ ନିଦ୍ରାହୀନତା ଆଉ ଏକ ଜଟିଳ ରୋଗ ସୃଷ୍ଟି କରିପାରେ ବୋଲି ଜାଣିବାକୁ ପାଇଛନ୍ତି ବୈଜ୍ଞାନିକ ।
ଅନୁସନ୍ଧାନ ଅନୁସାରେ ନିଦ୍ରାର ଅଭାବ ଅର୍ଥାତ୍ କମ୍ ଶୋଇଲେ ପ୍ରଜନନ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିପାରେ । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାଁନ୍ତି, ତେବେ ତାଙ୍କର ପ୍ରଜନନ ହରମନ୍ ପ୍ରଭାବିତ ହୋଇପାରେ । ନିଦ୍ରାର ଅଭାବ କାରଣରୁ ମହିଳାମାନଙ୍କଠାରେ ଡିମ୍ବାଣୁ ଏବଂ ପୁରୁଷମାନଙ୍କ ଶୁକ୍ରାଣୁ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଯଦି ମହିଳାମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଦ୍ରାହୀନତାର ସମ୍ମୁଖୀନ ହୁଅନ୍ତି, ତେବେ ଇଷ୍ଟ୍ରୋଜେନ୍, ପ୍ରୋଜେଷ୍ଟେରନ୍, ପ୍ରୋଲାକ୍ଟିନ୍ ଏବଂ ଲ୍ୟୁଟିନାଇଜିଂ ପରି ପ୍ରଜନନ ହରମନ୍ ଉପରେ ସିଧାସଳଖ କୁପ୍ରଭାବ ପଡିଥାଏ । ଏହି ସମସ୍ୟା ଧୀରେଧୀରେ ବନ୍ଧ୍ୟାକରଣ ସୃଷ୍ଟି କରିପାରେ ।
ବୈଜ୍ଞାନିକମାନେ କହିଛନ୍ତି ଯେ, ପୁରୁଷମାନଙ୍କଠାରେ ସୁସ୍ଥ ଶୁକ୍ରାଣୁ ଉତ୍ପାଦନରେ ଟେଷ୍ଟୋଷ୍ଟେରନ୍ ହରମନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଶୋଇବା ସମୟରେ ଏହି ହରମନ୍ କ୍ଷରଣ ପ୍ରଭାବିତ ହୁଏ । ଫଳରେ ପୁରୁଷଙ୍କ ପ୍ରଜନନ ସ୍ୱାସ୍ଥ୍ୟ ମଧ୍ୟ ଦୁର୍ବଳ ହୋଇଯାଏ । ବୋଷ୍ଟନ୍ ୟୁନିଭରସିଟିର ଅନୁସନ୍ଧାନକାରୀ ଟିମ୍ ତଥା ଏପିଡେମୋଲୋଜି ପ୍ରଫେସର ଲୋରେନ୍ ୱାଇଜ୍ଙ୍କ ଅନୁଯାୟୀ, ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର ଶୋଇଥାଆନ୍ତି ସେମାନଙ୍କର ଟେଷ୍ଟୋଷ୍ଟେରନ୍ ସ୍ତର ସଠିକ୍ ରହିଥାଏ । ବୋଷ୍ଟନ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥ ଏହି ଅଧ୍ୟୟନ ପାଇଁ ୭୯୦ ଦମ୍ପତିଙ୍କ ଉପରେ ଗବେଷଣା କରିଥିଲା । ଅନେକ ସ୍ତରରେ ଅନୁସନ୍ଧାନ ପରେ ଏହା ଜଣାପଡିଛି ଯେ, ଯେଉଁମାନେ ପ୍ରତିଦିନ ୬ ଘଣ୍ଟା ଶୋଇଥାନ୍ତି, ସେମାନଙ୍କର ଗର୍ଭଧାରଣ ସହିତ ଜଡିତ ସମସ୍ୟା ହେବାର ଆଶଙ୍କା ଅଧିକ ଥାଏ । ଯେଉଁ ପୁରୁଷମାନେ ବହୁତ କମ୍ କିମ୍ବା ଅଧିକ ସମୟ ଶୋଇଥିଲେ ସେମାନଙ୍କର ୪୨% ଅଧିକ ପ୍ରଜନନ ସମସ୍ୟା ଦେଖାଦେଇଥିଲେ ।