ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇଲେ ଡ୍ରାଇଭର, ସାଧାରଣ ଜନତାଙ୍କୁ କଲେ ଆକ୍ରମଣ, ପୋଲିସ ନୀରବଦ୍ରଷ୍ଟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀର ରାଜରାସ୍ତାରେ ଡ୍ରାଇଭର ମହାସଂଘ ୧୦ଦଫା ଦାବି ନେଇ ଖେଳାଇଲେ ଆତଙ୍କ । ରାଜଧାନୀବାସୀଙ୍କୁ କଲେ ନାକେଦମ । ଠେଙ୍ଗା ବାଡ଼ି ଧରି କଲେ ଆକ୍ରମଣ । ତ୍ରାହି ତ୍ରାହି ଡାକିଲେ ଜନତା । କମିଶନରେଟ ପୋଲିସ ସାଜିଲା ନିରବଦ୍ରଷ୍ଟା । ଆଜି ଭୋରରୁ ହଜାର ହଜାର ସଂଖ୍ୟାରେ ଡ୍ରାଭର ପହଁଚି ଯାଇଥିଲେ ରାଜଧାନୀରେ । ସେମାନେ ଖୁବ ଆକ୍ରାମକ ଥିଲେ । ସତେ ଯେମିତି ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇବାକୁ ସେମାନେ ପୂର୍ବରୁ ଯୋଜନା କରିଥିଲେ । ତାଙ୍କ ଆତଙ୍କରୁ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ସ୍କୁଲର ଛୋଟ ଛୋଟ ଛାତ୍ର ଛାତ୍ରୀ କେହିବି ବର୍ତ୍ତି ପାରିନଥିଲେ । ବିନା କାରଣରେ ରାସ୍ତା ଅବରୋଧ କରିବା ସହ ପଥଚାରୀଙ୍କୁ ମାଡ ମାରିଥିଲେ । ଏଥିରୁ ସାମ୍ବାଦିକ ଓ ପୋଲିସ ମଧ୍ୟ ବାଦ ପଡିନଥିଲେ ।

ଡ୍ରାଇଭରମାନେ ଭୋରରୁ ବିଧାନସଭା ଘେରାଉ କରିବା ସହ ଏହା ସମ୍ମୁଖରେ ଧାରଣା ଦେଇଥିଲେ । ରାଜ୍ୟ ଇତିହାସରେ ଦ୍ୱିତୀୟ ଥର ପାଇଁ ବିଧାନସଭା ସମ୍ମୁଖରେ ଧାରଣାରେ ବସିଲେ ଏହି ବିକ୍ଷୋଭକାରୀ । ଅନେକ ବର୍ଷ ପୂର୍ବରୁ ବଜରଙ୍ଗ ଦଳ ପ୍ରଥମଥର ପାଇଁ ବିଧାନସଭା ଘେରାଉ କରିବାରେ ସକ୍ଷମ ହୋଇଥିଲେ ।

ସେମାନେ ପ୍ରଥମେ ମାଷ୍ଟରକ୍ୟାଂଟିନ ଓ ସଚିବାଳୟ ମାର୍ଗ ରାସ୍ତା ଅବରୋଧ କରିଥିଲେ । ଏପରିକି ବିଧାନସଭାକୁ ଘେରାବନ୍ଦୀ କରି ରଖିଥିଲେ । ସେହିପରି ରସୁଲଗଡ, ବାଣୀବିହାର, ରାଜମହଲ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଆଦି ଛକରେ ରାସ୍ତା ଜାମ କରିଥିଲେ । ଯଦି କେହି ଏହାର ପ୍ରତିବାଦ କଲା, ତେବେ ତାକୁ ସଂଘବଦ୍ଧ ଭାବେ ଆକ୍ରମଣ କରିବାକୁ ପଛାଉଥିଲେ । ଏଭଳି ଅଭାବନୀୟ ଘଟଣା ଘଟୁଥିଲେ ମଧ୍ୟ କମିଶନରେଟ ପୋଲିସ ସେମାନଙ୍କୁ ଅଟକାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଏତେ ସଂଖ୍ୟାରେ ଡ୍ରାଇଭରକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ କଷ୍ଟକର ହୋଇପଡିଥିଲା । ତେବେ ରାଜ୍ୟ ଗୁଇନ୍ଦା ବିଭାଗ କିପରି ଏତେ ବଡ଼ ବିକ୍ଷୋଭ ସମ୍ୱନ୍ଧରେ ସୁରାକ ପାଇପାରି ନଥିବା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଉଛି ।

ସୂଚନା ଅନୁଯାୟୀ, ଝିଅକୁ ସ୍କୁଲ ନେଇ ଯାଉଥିବା ବେଳେ ବରିଷ୍ଠ ସାମ୍ବାଦିକ ଗିରିଜା ଶଙ୍କର ଦାସ ସେମାନଙ୍କ ଆକ୍ରୋଶର ଶୀକାର ହୋଇଥିଲେ । ଝିଅର ପରୀକ୍ଷା ଥିବାରୁ ରାସ୍ତା ଛାଡିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ । ହେଲେ ଉଗ୍ରରୂପୀ ଡ୍ରାଇଭର ସେମାନଙ୍କୁ ଆଶାଳୀନ ବ୍ୟବହାର କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ପରେ ସେ ରାସ୍ତା ପରିବର୍ତନ କରି ସ୍କୁଲ ଯାଇଥିଲେ । ପରେ ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କରିବା ପରେ ପୋଲିସ ପହଁଚି ସଚିବାଳୟ ମାର୍ଗରୁ ଆନ୍ଦୋଳନକାରୀଙ୍କୁ ହଟାଇଥିଲା । ହେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିନଥିଲା ।

କେବଳ ଶ୍ରୀଦାସ ନୁହଁନ୍ତି, ତାଙ୍କ ଭଳି ଶହଶହ ଅଭିଭାବକ ଆଜି ଡ୍ରାଇଭରଙ୍କ ଦୌରାତ୍ମ୍ୟର ଶୀକାର ହୋଇଛନ୍ତି । ଇନ୍ଦିରାପାର୍କ ରାସ୍ତାରେ ଯାଉଥିବା ଜଣେ ପଥଚାରୀକୁ ଆନ୍ଦୋଳନକାରୀ ଘୋଷାରି ପିଟିବା ସହ ତାଙ୍କ ସାର୍ଟ ଚିରି ଦେଇଥିଲେ । ଜଣେ ମହିଳା ତାଙ୍କର ଛୋଟ ଶିଶୁୁକୁ ନେଇ ସ୍କୁଲ ଯାଉଥିବା ବେଳେ କେଶରୀ ସିନେମା ହଲ ପାଖରେ ଆନ୍ଦୋଳନକାରୀଙ୍କ ହିଂସାର ଶିକାର ହୋଇଥିଲେ । ସେହିପରି ରୋଗୀ ନେଇ ଯାଉଥିବା ଏକ ଆମ୍ବୁଲାନ୍ସକୁ ମଧ୍ୟ ସେମାନେ ଛାଡି ନଥିଲେ । ପୋଲିସର ହସ୍ତକ୍ଷେପ ପରେ ଆମ୍ବୁଲାନ୍ସ ଦିଗ ବଦଳାଇ ହସିପଟାଲକୁ ଯାଇଥିଲା ।

ଖାଲି ଏତିକି ନୁହେଁ, ସଙ୍ଗୀତଜ୍ଞ ସ୍ୱର୍ଗତ ପ୍ରଫୁଲ୍ଲ କରଙ୍କ ମରଶରୀର ସଙ୍ଗୀତ ମହାବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ଥିଲା । ମାତ୍ର ଡ୍ରାଇଭରଙ୍କ ଆତଙ୍କରାଜ ଓ ରାସ୍ତା ଅବରୋଧ ଯୋଗୁଁ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ସେହିପରି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ । ଜୋରଜବରଦସ୍ତ ଫଟୋ ଓ ଭିଜୁଆଲ ନେବାକୁ ବାଧ୍ୟ କରିଥିଲେ । ଫଟୋ ସେସନ ଭଳି ଦଳଦଳ ହୋଇ ଫଟୋ ଉଠାଇବାକୁ କହିଥିଲେ । ସେମାନେ ମନା କରିବାକୁ ସେମାନଙ୍କ କ୍ୟାମେରା ଛଡାଇବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ ।

ଏଥିସହିତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଠେଲାପଲା କରୁଥିବା ଦେଖିବାକୁ ମିଳିଛି । ଏପରିକି ନିଶାସକ୍ତ ଅବସ୍ଥାରେ ଥିବା ଡ୍ରାଇଭରମାନେ ଶେଷରେ ନିଜ ନିଜ ଭିତରେ ମଧ୍ୟ ପିଟାପିଟି ହୋଇଥିଲେ । ତେବେ ଡ୍ରାଇଭରଙ୍କ ଏଭଳି ଆତଙ୍କରାଜ ରାଜଧାନୀବାସୀ ଓ ପ୍ରଶାସନ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି । ଏମାନେ ଦାବି ପୂରଣ ନୁହେଁ ବରଂ ଆତଙ୍କରାଜ କରିବାକୁ ଆସିଥିବା କୁହାଯାଉଛି । ସରକାର ଏଭଳି ଆତଙ୍କି ଡ୍ରାଇଭରଙ୍କ ଦାବି ପୂରଣ କଲେ, ସେମାନେ ଇନ୍ଦ୍ରଚନ୍ଦ୍ର ମାନିବେ ନାହିଁ, ବରଂ ଜଣେ ଜଣେ ଆତଙ୍କବାଦୀ ସଦୃଶ୍ୟ କାର୍ଯ୍ୟ କରିବେ, ଏଥିରେ ସନ୍ଦେହ ନାହିଁ । ତେଣୁ ସେମାନଙ୍କ ଦାବି ପୂରଣ ପୂର୍ବରୁ ସରକାର ଅନେକ ଥର ଭାବିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

ଅପରପକ୍ଷରେ ରାଜ୍ୟ ସରକାର ଡ୍ରାଇଭର ମହାସଂଘର ୧୦ଦଫା ଦାବି ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ତିନି ମାସ ସମୟ ମାଗିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

Leave a comment