ଖ୍ୟାତାନାମା ନ୍ୟୁରୋସର୍ଜନ୍ ଡକ୍ଟର ସନାତନ ରଥଙ୍କ ଦେହାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ଅନ୍ୟତମ ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ରେ ପରଲୋକ ଘଟିଥିବାର ଦୁଃଖଦ ଖବର ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ଜଣେ ନ୍ୟୁରୋସର୍ଜନ ଭାବେ କେବଳ ଦେଶ ଭିତରେ ନୁହେଁ ଦେଶବାହାରେ ମଧ୍ୟ ତାଙ୍କର ପ୍ରସିଦ୍ଧି ରହିଥିଲା ।
ସ୍ୱର୍ଗତ ଡା.ରଥ ଜଣେ ଆଗଧାଡ଼ିରେ ସମାଜସେବୀ ଖ୍ୟାତି ରହିଥିଲା । ତାଙ୍କର ପରଲୋକରେ ରାଜ୍ୟର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଡା. ରଥ ୧୯୩୪ ମସିହା ଜୁଲାଇ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୫୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍ବିବିଏସ୍ ଡିଗ୍ରି ହାସଲ କରିଥିଲେ । ଏହାପରେ ୧୯୬୨ରେ ପାଟ୍ଣା ବିଶ୍ୱବିଦ୍ୟାଳୟର ସର୍ଜରି ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ କରିଥିଲେ । ଏହାପରେ ୧୯୬୫ରେ ସେ ଭେଲୋର୍ ମେଡିକାଲ୍ କଲେଜ୍ରୁ ନ୍ୟୁରୋସର୍ଜରିରେ ସ୍ନାତକୋତ୍ତର କରିବାରେ ସୁନାମ ଅର୍ଜନ କରିଥିଲେ ।
୧୯୬୫ ମସିହାରେ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜରେ ସହକାରୀ ପ୍ରଫେସର୍ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ସ୍ୱର୍ଗତ ଡା. ରଥ ୧୯୯୧ ମସିହାରେ ଡିଏମ୍ଇଟିର ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରି ଜୀବନରେ ଅନେକ ଉଲ୍ଲେଖନୀୟ ସଫଳତା ପାଇଛନ୍ତି ।