ଜଗନ୍ନାଥଙ୍କ ଡୋରିରେ ଟାଣି ହୋଇ ଆସିଲେ ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ଡା କ୍ରିଷନ୍ କୁମାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଥାରେ ଅଛି କାଳିଆ ଡୋରି ନଲାଗିଲେ ତାର ଦର୍ଶନ ମିଳେନି । ଆଉ ଯଦି ଡୋରି ଲାଗେ କେହି ଅଟକାଇ ପାରନ୍ତି ନାହିଁ। ଏକଥା ସତ୍ୟ ପ୍ରତିପାଦିତ ହୋଇଛି ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ଡା କ୍ରିଷନ୍ କୁମାରଙ୍କ ବାହୁଡ଼ା ଯାତ୍ରା ସମୟରେ ଜଗନ୍ନାଥ ଦର୍ଶନକୁ ନେଇ । ସେ କେନ୍ଦ୍ରକୁ ଡେପୁଟେସନ ଗଲା ପରେ ଗତ ବର୍ଷ ରଥଯାତ୍ରାରେ ସମ୍ମିଳିତ ହୋଇଥିଲେ । ମାତ୍ର ଚଳିତବର୍ଷ ଅତ୍ୟନ୍ତ କାର୍ଯ୍ୟ ବ୍ୟସ୍ତତା ହେତୁ ରଥଯାତ୍ରାରେ ସମ୍ମିଳିତ ହୋଇପାରିନଥିଲେ । ହେଲେ ଜଗତର ନାଥ ଜଗନ୍ନାଥ କିପରି ନିଜ ଭକ୍ତ ଠାରୁ ଦୂରରେ ରହିଥାନ୍ତେ । ବାହୁଡରେ ଡୋରି ଲଗାଇ ନିଜ ପ୍ରିୟ ଭକ୍ତ ଡା କ୍ରିଷନ୍ କୁମାରଙ୍କୁ ଟାଣି ଆଣିଲେ ପୁରୀକୁ । ସେ ଭକ୍ତଙ୍କ ସହ ମିଶି ରଥ ଟାଣିଛନ୍ତି। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥ ଟାଣି ଖୁସିବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ସେବାୟତମାନଙ୍କ ସହ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ।
ସୂଚନା ଅନୁଯାୟୀ, ଡା କ୍ରିଷନ୍ କୁମାରଙ୍କୁ ବା’ ଓଡ଼ିଶାରେ କିଏ ନଜାଣେ । ସେ ଦୁଇ ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସକ ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି । ଯେତେବେଳେ ସମଗ୍ର ବିଶ୍ୱ କୋଭିଡ କବଳରେ କବଳିତ ଥିଲା ସେସମୟରେ ଦୁଇବର୍ଷ ଡା କ୍ରିଷନ୍ କୁମାର ଶ୍ରୀମନ୍ଦିର ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୨୦ ମସିହାରେ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କାଟିବାକୁ ନିର୍ଦ୍ଦେଶ ଦେଇଥିଲା । ମାତ୍ର ପୁନର୍ବାର ଏହାକୁ ନେଇ ନିଜ ନିଷ୍ପତ୍ତି ସୁପ୍ରିମକୋର୍ଟ ବଦଳାଇ ଥିଲା । ରଥଯାତ୍ରା ସପକ୍ଷରେ ନିଷ୍ପତ୍ତି ଆସିବା ପରେ ଖୁବ କମ ସମୟ ମଧ୍ୟରେ ବିନା ଭକ୍ତରେ ସୁରୁଖୁରୁ ଭାବରେ ରଥଯାତ୍ରା ସମ୍ପାଦନ କରି ସମଗ୍ର ଦେଶରୁ ପ୍ରଶଂସା ସାଉଁଟି ଥିଲେ ଏହି ପ୍ରଶାସକ ।
କିନ୍ତୁ ଏହି ପ୍ରଶଂସା କୁ ସେ ସମସ୍ତ ସେବାୟତଙ୍କୁ ସମର୍ପିତ କରିଥିଲେ । ଏଥିରୁ ତାଙ୍କ ବିନମ୍ର ବ୍ୟକ୍ତିତ୍ୱ ସମ୍ୱନ୍ଧରେ ସ୍ପଷ୍ଟତା ଦୃଷ୍ଟିଗୋଚର ହୁଏ । କେବଳ ୨୦୨୦ ନୁହେଁ ୨୦୨୧ ରେ ମଧ୍ୟ ବିନା ଭକ୍ତରେ କେବଳ ସେବାୟତ ଏବଂ ପୋଲିସ ସହାୟତାରେ ସୁଚାରୁରୂପେ ରଥଯାତ୍ରା ସମ୍ପାଦନ କରି ଏକ ଉଦାହରଣ ସୃଷ୍ଟି କରିଥିଲେ ଡା କ୍ରିଷନ୍ କୁମାର । ଖାଲି ପାଦରେ ସେବାୟତଙ୍କ ସହ ରଥ ଟାଣିବା ହେଉ କିମ୍ବା ବର୍ଷାରେ ଭିଜିଭିଜି ଜଗନ୍ନାଥ ପ୍ରେମର ଏକ ନିଆରା ଦୃଶ୍ୟ ଦେଖି ସମଗ୍ର ଭକ୍ତ ତାଙ୍କର ପ୍ରଶଂସା କରିବାକୁ ପଛାଇ ନଥିଲେ । ରଥଯାତ୍ରା ଦିନ ଗୁଣ୍ଡିଚା ମନ୍ଦିର ସମ୍ମୁଖ ତିନିରଥ ପହଂଚିବାପରେ ଏବଂ ବାହୁଡା ଯାତ୍ରା ଦିନ ଶ୍ରୀମନ୍ଦିର ସମ୍ମୁଖରେ ତିନି ଠାକୁରଙ୍କ ରଥ ପହଂଚିବା ପରେ ସେବାୟତଙ୍କ ସହ ଏକାକାର ହୋଇ ଭାବବିହୋଲିତ ହୋଇ ଶ୍ରୀଜଗନ୍ନାଥଙ୍କ ଜଣାଣ ଗାଇ ଚର୍ଚ୍ଚାରେ ରହିଥିଲେ। ସେ କେବଳ ଜଗନ୍ନାଥଙ୍କ ଭକ୍ତ ନୁହଁନ୍ତି ସେ ଜଣେ ଏପରି ମଣିଷ ଯେ ଅନ୍ୟମାନଙ୍କ ସୁବିଧା ଅସୁବିଧା ବୁଝି ଏହାର ସମାଧାନ କରନ୍ତି । ସେ ଶ୍ରୀମନ୍ଦିର ପ୍ରଶାସକ ଥିବା ସମୟରେ ସେବାୟତଙ୍କ ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି । ଯାହାକୁ ଆଜି ପର୍ଯ୍ୟନ୍ତ ସମସ୍ତ ସେବାୟତ ଝୁରୁଛନ୍ତି ।
ଚଳିତ ରଥଯାତ୍ରା ପୂର୍ବରୁ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକ ଭାବେ ରଂଜନ କୁମାର ଦାସଙ୍କ ଯୋଗଦାନ ପୂର୍ବରୁ ବୀର ବିକ୍ରମ ଯାଦବ ଅଳ୍ପ କିଛି ମାସ ପାଇଁ ଦାୟିତ୍ବରେ ରହିଥିଲେ।