ବିଧାୟକ ଶଶୀଭୂଷଣ ବେହେରା, ପତ୍ନୀ ଓ ତାଙ୍କ ପୁଅଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ବୋହୁ

0

ଖୋଲୁଛି ବଡ ଘରର ଗୁମର କଥା। ଗୋଟିଏ ପଟେ ବଲାଙ୍ଗୀର ରାଜପରିବାରରର ସାନବୋହୁ ନିର୍ଯ୍ୟାତନା ଅଭିଯୋଗ ଆଣିଥିବାବେଳେ ଅନ୍ୟପଟେ ବିଜେଡ଼ିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ବୋହୁ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଯାହାକୁ ନେଇ ଏବେ ନାନା ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଧାୟକ, ତାଙ୍କ ପୁଅ ଓ ପତ୍ନୀଙ୍କ ସମେତ ୫ ଜଣଙ୍କ ବିରୋଧରେ ବାଙ୍କୀ ଥାନାରେ ମାମଲା ରୁଜୁ ହୋଇଛି ।

ପ୍ରକାଶ ଯେ, କେନ୍ଦ୍ରାପଡ଼ା ବିଧାୟକ ଶଶୀ ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କୁ ବିବାହ କରିଥିଲେ ବାଙ୍କୀ ଅଞ୍ଚଳର ରୋନାଲି ବେହେରା । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବିଚାରପତି । ରୋନାଲିଙ୍କ ଅଭିଯୋଗ ଅନୁଯାୟୀ, ବିବାହ ପରେ ୪୦ ଲକ୍ଷ ଟଙ୍କା ଯୌତୁକ ପାଇଁ ଶାଶୁଘର ଲୋକେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ସ୍ୱାମୀ ସତ୍ୟପ୍ରକାଶ ତାଙ୍କୁ ମାରପିଟ୍ କରୁଥିଲେ । ସ୍ୱାମୀଙ୍କର ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ବି ଥିଲା । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଶ୍ୱଶୁର ଶଶୀଭୂଷଣ ଜାଣି ମଧ୍ୟ ଚୁପ୍ ରହୁଥିଲେ । ଓଲଟି ତାଙ୍କୁ ଗାଳିଗୁଲଜ କରି ଘରୁ ବାହାର କରିଦେଇଥିବା ରୋନାଲି ଅଭିଯୋଗ କରିଛନ୍ତି ।

ବାପଘରେ ରହୁଥିବା ରୋନାଲି ଆଜି ବାଙ୍କୀ ଥାନାରେ ଶ୍ୱଶୁର ଶଶୀଭୂଷଣ ବେହେରା, ସ୍ୱାମୀ ସତ୍ୟ ପ୍ରକାଶ ବେହେରା, ଶାଶୁ ସୁପ୍ରଭା ବେହେରାଙ୍କ ସମେତ ୫ ଜଣଙ୍କ ବିରୋଧରେ ଏତଲା ଦେଇଥିଲେ । ପୁଲିସ ଏହି ଏତଲାକୁ ଗ୍ରହଣ କରିଛି । ସେମାନଙ୍କ ବିରୋଧରେ ଦଫା ୪୯୮(କ), ୨୯୪, ୫୦୬, ୩୪ ଏବଂ ଯୌତୁକ ନିରୋଧ ଆଇନ ୧୯୬୧ ର ଧାରା ୪ ରେ ମାମଲା ରୁଜୁ ହୋଇଛି।

ଅନ୍ୟପଟେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ଶଶୀ ବେହେରା । ସେ କହିଛନ୍ତି, ପୁଅ ବୋହୁଙ୍କ ମଧ୍ୟରେ କିଛି ମନୋମାଳିନ୍ୟ ଥାଇପାରେ । ମାତ୍ର ଯୌତୁକ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତହୀନ । ଅର୍ଥ ଓ ଯୌତୁକକୁ ନେଇ ମୋ ଆଚରଣ ଓଡ଼ିଶାବାସୀ ଜାଣନ୍ତି ବୋଲି ସେ କହିଛନ୍ତି।

Leave a comment