ସ୍ତ୍ରୀ, ଶାଳୀଙ୍କୁ ହତ୍ୟା କରି ଘରେ ୩ଦିନ ଲୁଚାଇ ରଖିଥିଲା ଶବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରିବାରିକ କଳହକୁ ନେଇ ରାଜଧାନୀରେ ଡବଲ ମର୍ଡର । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଶାଳୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଉଭୟଙ୍କ ଶବକୁ ଅଭିଯୁକ୍ତ ୩ଦିନ ଧରି ଘର ଭିତରେ ଲୁଚାଇ ରଖିଥିଲା । ଲୋକେ ଅଭିଯୁକ୍ତ ବିଜୟ ସେଠୀକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ସ୍ୱାମୀ ବିଜୟ ସେଠୀକୁ ଅଟକ ରଖିଛି ପୁଲିସ। ହତ୍ୟାକାରୀ ବିଜୟ ସିଟିଡିସି ମେକାନିକାଲ୍ରେ ବିଭାଗରେ କାମ କରୁଥିବା ସୂଚନା ମିଳିିିଛି। ମୃତକ ଦ୍ବୟ ହେଉଛନ୍ତି ସରସ୍ୱତୀ ସେଠୀ ଓ ଗାୟତ୍ରୀ ସେଠୀ ।
ସୂଚନା ଅନୁଯାୟୀ, ସିଟିଡିସି ମେକାନିକାଲ୍ରେ ବିଭାଗରେ କାମ କରୁଥିବା ବିଜୟ ସେଠୀ ପରିବାର ସହ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ ସରକାରୀ ମେଡିକାଲ ନିକଟସ୍ଥ ଇଭିଏସ -୨୩/୨ ଘରେ ରହେ ଭଡାରେ ରହୁଥିଲା । ସେ ୨୦୧୧ରେ ନିଶ୍ଚିତକୋଇଲି ଅଂଚଳର ଗାୟତ୍ରୀ ସେଠୀଙ୍କୁ ବିବାହ କରିଥିଲେ । ବିବାହର କିଛିଦିନ ପରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହୁଥିଲା । ଏପରିକି ସେ ପତ୍ନୀକୁ ନିର୍ଯାତନା ମଧ୍ୟ ଦେବା ସହ ମାଡ ମାରୁଥିଲେ । ଇତି ମଧ୍ୟରେ ଗାୟତ୍ରୀଙ୍କ ଭଉଣୀ ସରସ୍ୱତୀ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରିବା ପରେ ତାଙ୍କ ଘରେ ଆସି ରହିଥିଲେ ।
ପରେ ଦୁଇ ଭଉଣୀ ବିଜୟଙ୍କୁ ଚେକ ଦେବା ଆରମ୍ଭ କରିଥିଲେ । ଏହାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ବଢି ଯାଇଥିଲା । ପରେ ବିଜୟ ଦୁଇ ଭଉଣୀକୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ । ଯୋଜନା ମୁତାବକ ସେମାନଙ୍କୁ ଘର ଭିତରେ ହତ୍ୟା କରିଥିଲା । ପରେ ଘର ତାଲା ପକାଇ କେଉଁଆଡେ ପଳାଇଯାଇଥିଲା । ତେବେ ଶୁକ୍ରବାର ଠାରୁ ଗାୟତ୍ରୀ ଓ ସ୍ୱରସ୍ୱତୀଙ୍କ ଫୋନ ସୁଇଚ ଅଫ ଆସିଥିଲା । ଏହାକୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତାରେ ପଡିଥିଲେ । ବିଜୟଙ୍କ ଫୋନ ଲାଗୁଥିଲା । କିନ୍ତୁ ସେ ଫୋନ ଉଠାଉ ନଥିଲା । ସେଥିପାଇଁ ସେମାନଙ୍କର ସନ୍ଦେହ ହୋଇଥିଲା ।
ଶନିବାର ଦିନ ଗାୟତ୍ରୀଙ୍କ ବାପା ସୁଦାମ ସେଠୀ ଓ ପରିବାର ଲୋକେ ଭୁବନେଶ୍ୱର ଆସିଥିଲେ । ଘର ତାଲା ପଡିଥିବା ବେଳେ ସାନ ଝିଅ ହସପିଟାଲକୁ ଯାଇନଥିବା ଜାଣିବାକୁ ପାଇଲେ । ପରେ ସନ୍ଦେହ ଆହୁରି ବଢିଯାଇଥିଲା । ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ କିଛି ସୁଫଳ ପାଇନଥିଲା । ବିଜୟ ସବୁଦିନ ସକାଳୁ ଘରକୁ ଆସି କିଛି ଜିନିଷ ନେଇ ପଳାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।
ଏହା ଜାଣିବା ପରେ ଆଜି (ରବିବାର) ଭୋରରୁ ସୁଦାମ ପୁଣି ଆସି ଘର ପାଖରେ ଛକି ବସିଥିଲେ । ସକାଳ ପ୍ରାୟ ୭ଟା ବେଳେ ବିଜୟ ଘରକୁ ଆସିବାରୁ ତାକୁ ସେ ମାଡି ବସିଥିଲେ । ଝିଅମାନଙ୍କ ବିଷୟରେ ପଚାରିବାରୁ ବିଜୟ ସନ୍ତୋଷଜନକ ଉତର ଦେଇ ନଥିଲେ । ଏମିତିକି ସେ ଖସି ଯିବାକୁ ପ୍ରୟାସ କରିଥିଲେ ।ଏହି ସମୟରେ ଆଖପାଖ ଲୋକେ ପହଁଚି ତାକୁ ମାଡ ମାରିବାରୁ ସେ ହତ୍ୟା କରିଥିବା ନେଇ ସ୍ୱିକାର କରିଥିଲା । ପରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ହତ୍ୟାକାରୀକୁ ହେପାଜତକୁ ନେବା ସହ ଶବ ଜବତ କରି ଘଟଣାର ତଦନ୍ତ କରୁଛି ।