ସବୁବେଳେ ଗରମ କରି ଖାଦ୍ୟ ଖାଉଛନ୍ତି କି ? ଦେଖାଦେଇପାରେ ଏହିସବୁ ରୋଗ ସମସ୍ୟା

ବ୍ୟସ୍ତବହୁଳ ଜୀବନରେ ଲୋକେ ଇନଷ୍ଟାଂଟ ଫୁଡ ଖାଇବାକୁ ପସନ୍ଦ କରୁଛନ୍ତି। କେହି କେହି ଗୋଟିଏ ଥର ରୋଷେଇ କରି ଫ୍ରିଜ୍ରେ ଖାଦ୍ୟ ରଖିଦେଉଛନ୍ତି। ରଖାଯାଇଥିବା ଖାଦ୍ୟକୁ ହାଲକା ଗରମ କରି ଦୁଇରୁ ତିନି ଥର ଖାଉଛନ୍ତି । ମଣିଷ ଏତେ ବ୍ୟସ୍ତ ଯେ ଭଲରେ ରୋଷେଇ କରିବାକୁ ସମୟ ହିଁ ପାଉନି। କିନ୍ତୁ ଏହା ହିଁ କୌଣସି ବଡ଼ ରୋଗର କାରଣ ହୋଇପାରେ। ଏମିତି କିଛି ଖାଦ୍ୟ ଅଛି ଯାହାକୁ ପୁଣି ଥରେ ଗରମ କରି ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ ହୋଇପାରେ।
ଭାତ:
ଭାରତ ତଥା ଓଡ଼ିଶାରେ ଭାତ ପ୍ରଧାନ ଖାଦ୍ୟ ଭାବେ ପ୍ରାୟତଃ ଗ୍ରହଣ କରାଯାଏ। ଯେକୌଣସି ଘରେ ଅତି ସହଜରେ ଭାତ ମିଳିଯିବ। ଭାତରେ ଥିବା ବ୍ୟକ୍ଟେରିଆ ପୁଣି ଥରେ ଗରମ କରିବା ଦ୍ବାରା ବିଷାକ୍ତ ହୋଇପାରେ ବୋଲି ଜଣାପଡ଼ିଛି। ଦ୍ବିତୀୟ ବାର ଗରମ କରି ଭାତ ଖାଇବା ଦ୍ବାରା ଡାଇରିଆ ଏବଂ ବାନ୍ତି ହୋଇପାରେ
ଅଣ୍ଡା:
ସଣ୍ଡେ ହୋ ୟା ମଣ୍ଡେ, ରୋଜ ଖାଓ ଅଣ୍ଡେ। ଅଣ୍ଡା କେତେ ଉପଯୋଗୀ ସମସ୍ତେ ଜାଣିଛନ୍ତି। ପ୍ରୋଟିନର ଶକ୍ତିକେନ୍ଦ୍ର ବୋଲି ଅଣ୍ଡାକୁ କୁହାଯାଏ। କିନ୍ତୁ ସ୍ବସାଦୁ ଖାଦ୍ୟ ଦ୍ବିତୀୟ ଥର ଗରମ କରିବା ଦ୍ବାରା ବିଷାକ୍ତ ହୋଇପାରେ। ସିଝା ଅଣ୍ଡା ଦ୍ବିତୀୟ ବାର ଗରମ କରିବା ଉଚିତ ନୁହେଁ।
ଆଳୁ:
ଭାରତୀୟଙ୍କ ରୋଷେଇ ଘରେ ଅଧିକ ବ୍ୟବହାର ହେଉଥିବା ପରିବା ହେଉଛି ଆଳୁ। କିନ୍ତୁ ଏହାକୁ ତାଜା ଖାଇବା ଦରକାର। ପୂର୍ବରୁ ରୋଷେଇ ହୋଇଥିବା ଆଳୁକୁ ପୁଣି ଥରେ ଗରମ କଲେ ଏଥିରେ ଥିବା ନ୍ୟୁଟ୍ରିସନ୍ ନଷ୍ଟ ହୋଇଥାଏ। ଶିଝା ଆଳୁକୁ ପୁଣି ଶିଝାଇଲେ ନଉସିଆ ଏବଂ ଫୁଡ ଫଏଜନିଂ ହୋଇପାରେ।
ଚିକେନ୍:
କୁକୁଡ଼ା ମାଂସ ଖାଇବାକୁ ଭଲ ପାଉଥିଲେ ଜାଣିରଖିବା ଉଚିତ ଯେ, ଦ୍ବିତୀୟ ଥର ମାଂସ ଗରମ କରିବା ଅନୁଚିତ। ଦ୍ବିତୀୟ ଥର ଗରମ କରି ଖାଇଲେ କୌଣସି ପ୍ରକାର ଭିଟାମିନ୍ ମିଳିବା ନାହିଁ। ଏହା ସହ ଏମିତି ମାଂସ ଖାଇଲେ ହଜମ କ୍ରିୟା ବାଧାପ୍ରାପ୍ତ ହୋଇପାରେ। କିନ୍ତୁ ଏହାକୁ ନଫୋପାଡ଼ି ସାଲାଡ୍ରେ ବ୍ୟବହାର କରିପାରିବେ।
ଛତୁ:
ଶାକାହାରୀମାନଙ୍କ ପାଇଁ ସବୁଠୁ ସ୍ବସାଦୁ ଡିସ୍ ହେଉଛି ଛତୁ। କିନ୍ତୁ ଏହି ଛତୁ ତରକାରିକୁ ପୁଣି ଥରେ ଗରମ କଲେ ଏଥିରୁ ସମସ୍ତ ଭିଟାମିନ୍ ନଷ୍ଟ ହେବା ସହ ବିଷାକ୍ତ ହୋଇଯାଏ। ବିଶେଷଜ୍ଞଙ୍କ ମତରେ ଛତୁ ତରକାରି ଗରମ କରି ଖାଇଲେ ବଦହଜମୀର ଶିକାର ହୋଇପାରନ୍ତି।
ଶାଗ:
ସମସ୍ତ ପ୍ରକାର ଶାଗରେ ଅନେକ ପ୍ରକାର ଭିଟାମିନ୍ ଥାଏ। କିନ୍ତୁ ଏହାକୁ ରୋଷେଇ ପରେ ଗରମ କରି ଖାଇଲେ କ୍ୟାନସର ଆଶଙ୍କା ବୃଦ୍ଧି ପାଏ। କୁଶଳା, ପାଳଙ୍ଗ ଭଳି ଶାଗରେ ଆଇରନ୍ ଏବଂ ନାଇଟ୍ରେଟ୍ସ୍ ଅଧିକ ଥାଏ। ଯାହାକୁ ପୁଣି ଗରମ କଲେ ଏହା ନାଇଟ୍ରାଇଟସ୍ରେ ପରିଣତ ହୋଇଥାଏ। ତେବେ ସବୁ ବେଳେ ତାଜା ପନିପରିବା ଖାଇବା ଭଲ।