ସମ୍ପର୍କ ସ୍ଥାପନାର ଆଶା ନଥିଲେ ହୋଇପାରିବ ଛାଡପତ୍ର : ସୁପ୍ରିମକୋର୍ଟ

0

ବିବାହ ସମ୍ପର୍କ ଏବଂ ଛାଡପତ୍ରକୁ ନେଇ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୌଣସି ବୈବାହିକ ସମ୍ପର୍କରେ ଯଦି ସୁଧାର ହେବା ନେଇ ଆଶା ନଥାଏ, ତେବେ ଛାଡପତ୍ରକୁ ଅନୁମତି ମିଳିପାରିବ । ଏକ ମାମଲାର ଶୁଣାଣି କରିବା ସମୟରେ ଏ ନେଇ ରାୟ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

ଏହି ଶୁଣାଣିରେ ସୁପ୍ରିମକୋର୍ଟର ସମ୍ବିଧାନ ପୀଠ କହିଛନ୍ତି ଯେ, ଧାରା ୧୪୨ ଅନୁସାରେ ବିଶେଷ ଶକ୍ତିର ପ୍ରୟୋଗ କରି ଛାଡପତ୍ରକୁ ମଞ୍ଜୁରି ଦିଆଯାଇପାରିବ ।

ଏଥିପାଇଁ ଦମ୍ପତିଙ୍କୁ ଅପେକ୍ଷା ମଧ୍ୟ କରିବାକୁ ପଡିବ ନାହିଁ । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟରେ ଏକ ସର୍ତ୍ତ ମଧ୍ୟ ରହିଛି । ନିଶ୍ଚିତ ଭାବରେ ଭାଙ୍ଗି ଯାଇଥିବା ବୈବାହିକ ସମ୍ପର୍କରେ ଏହି ଛାଡପତ୍ରକୁ ଅନୁମତି ମିଳିବ। ଯଦି ଏହି ସମ୍ପର୍କ ପୁଣିଥରେ ସ୍ଥାପନା ହେବାର କୌଣସି ଆଶା ନଥାଏ, ତେବେ ସୁପ୍ରିମକୋର୍ଟ ଏହି ବିଚ୍ଛେଦକୁ ଗ୍ରହଣ କରିବା ସହ ଛାଡପତ୍ର ପାଇଁ ଅନୁମତି ଦେଇପାରିବେ ।

ଜଷ୍ଟିସ ସଂଜୟ କିଶନ କୋଲ, ଜଷ୍ଟିସ ସଂଜୀବ ଖାନ୍ନା, ଏଏସ ଓକା, ବିକ୍ରମ ନାଥ ଏବଂ ଜେକେ ମାହେଶ୍ୱରୀଙ୍କ ପୀଠ କହିଛି କି, ବିବାହ ସଂପର୍କରେ ସୁଧାର ହେବାର ଯଦି କୌଣସି ଆଶା ନଥାଏ, ତେବେ ଛାଡପତ୍ର ହୋଇପାରିବ ।

ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସୁପ୍ରିମକୋର୍ଟ ଧାରା ୧୪୨ ଅନୁଯାୟୀ ବିପୁଳ କ୍ଷମତାକୁ ବ୍ୟବହାର କରି ବିବାହକୁ ରଦ୍ଦ କରିଦେଇଥିଲେ। ତେବେ, ସେପ୍ଟେମ୍ବର ୨୦୨୨ ରେ ସୁପ୍ରିମକୋର୍ଟ ଉଭୟ ପାଟର୍ନରଙ୍କ ସହମତି ବିନା ଅଲଗା ହୋଇ ରହୁଥିବା ଦମ୍ପତିଙ୍କ ମଧ୍ୟରେ ବିବାହକୁ ରଦ୍ଦ କରିପାରିବେ କି ନାହିଁ ତାହା ବିଚାର କରିବାକୁ ରାଜି ହୋଇଥିଲେ। ସେପ୍ଟେମ୍ବର ୨୯,୨୦୨୨ରେ ବେଞ୍ଚ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲା।

Leave a comment

You cannot copy content of this page