ଅଶ୍ୱିନୀଙ୍କ ପ୍ରାର୍ଥତ୍ବଙ୍କୁ ନେଇ ଗୃହରେ ହଟ୍ଟଗୋଳ, ଜବାବ ରଖିଲେ ଅଶ୍ୱିନୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାଜପା ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପରେ ଏହାକୁ ଚର୍ଚ୍ଚା ଥମିବାର ନାଁ ଧରୁନି । ବିଜେପି ପ୍ରାର୍ଥୀଙ୍କୁ ବିଜେଡ଼ି ସମର୍ଥନ କରିବାର ଭିତିରି କାରଣ ଖୋଜାରେ ଲାଗି ପଡ଼ିଛି କଂଗ୍ରେସ । ନିର୍ବଚନ ପୂର୍ବରୁ ପରସ୍ପରର ଶତ୍ରୁ ଥିବା ବିଜେପି ଓ ବିଜେଡି ହଠାତ୍ ବନ୍ଧୁ ପାଲଟି ଯିବା ମଧ୍ୟରେ କ’ଣ କାରଣ ରହିଛି ସେ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ତେବେ ଏହାକୁ ନେଇ ବୁଧବାର ବିଧାନସଭାରେ ଜୋରଦାର ହଟ୍ଟଗୋଳ ହୋଇଥିଲା ।
କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେହେତୁ ବିଜେପି ଏ ପର୍ଯ୍ୟନ୍ତ ତା’ର ବିରୋଧୀ ଦଳ ନେତା କିଏ ହେବ ସେ ନେଇ ସ୍ପଷ୍ଟ କରିନି, ତେଣୁ ସେ ବିରୋଧୀ ଦଳ ଭାବେ ନିଜକୁ ଉପସ୍ଥାପନ କରିପାରିବ ନାହିଁ । ବିରାଧୀ ଦଳ ନେତା ନଥାଇ ବିଜେପି କିପରି ବିରୋଧୀ ଦଳ ମନ୍ୟତା ପାଇବ ବୋଲି ସେ ପ୍ରଶ୍ନ କରିଥିଲେ । ଏଥିସହିତ ବିଧାନସଭାରେ ଆବଶ୍ୟକ ଭୋଟ ନ ଥିବା ବେଳେ ଭାଜପା ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିବା ଓ ବିଜେଡି ଏହାକୁ ସମର୍ଥନ କରିବା କେତେଦୂର ଯଥାର୍ଥ ବୋଲି ମଧ୍ୟ ନରସିଂହ ପ୍ରଶ୍ନ କରିଥିଲେ । ତାରାଦତ୍ତ କମିଟି ରିପୋର୍ଟରେ ତାଙ୍କ ପ୍ରତି ଆକ୍ଷେପ କରାଯାଇଛି । ଇଚ୍ଛାଧୀନ କୋଟାରେ ଘର ନେଇଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ଜାରି ରହିଛି । ଏଥିସହ ଖଣି ଦୁର୍ନୀତିରେ ଜଡ଼ିତ ଥିବା ବିଷୟ ଶାହା କମିଶନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଗତ ୫ ବର୍ଷ ହେବ ଖଣି ଦୁର୍ନୀତିର ସିବିଆଇ ତଦନ୍ତ କେନ୍ଦ୍ରର ଏନ୍ଡିଏ ସରକାର କରିନାହାନ୍ତି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଗୃହରେ ବିବୃତି ଦିଅନ୍ତୁ ବୋଲି ନରସିଂହ ଦାବି କରିଥିଲେ । ତେବେ ଏହାକୁ କଂଗ୍ରେସର ଅନ୍ୟ ବିଧାୟକମାନେ ସମର୍ଥନ କରି ଗୃହ ମଝିରେ ହଟ୍ଟଗୋଳ କରିଥିଲେ ।
ଅପରପକ୍ଷରେ କଂଗ୍ରେସର ଏଭଳି ଅଭିଯୋଗ ପରେ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ । ସେ କହିଛନ୍ତି, କଂଗ୍ରେସ ଯାହା ସବୁ ଅଭିଯୋଗ କରିଛି ତାହାର ତଦନ୍ତ କରାଯାଉ । ନିର୍ବାଚନ ସରିବା ପରେ ସବୁ କହିବି ବୋଲି ଅଶ୍ୱିନୀ କହିଛନ୍ତି ।