ନର୍ସିଂ ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନର୍ସିଂ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଖଣ୍ଡଗିରି ପୋଲିସ ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକଙ୍କୁ ଗିରଫ କରିଛି । ଭରତପୁର ଅଞ୍ଚଳରେ ଥିବା ଇନ୍ଦିରା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଆଇ.ଆଇ. ଏମ.ଏସ.ଆର) ଅଭିଯୁକ୍ତ ନିର୍ଦ୍ଦେଶକ ସୁନୀଲ ଓରଫ କୋଦଣ୍ଡଧର ସାହୁ ଙ୍କୁ ଗିରଫ କରିଛି ପୋଲିସ । ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି । ପୋଲିସ ତାଙ୍କ ଅଫିସରେ ଚଢଉ କରି କମ୍ପ୍ୟୁଟର, ହାଡଡିକ୍ସ ସହ ବହୁଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିିଛି । ବିନା କାଗଜପତ୍ରରେ ଶିକ୍ଷାନୁଷ୍ଠାନ ଚାଲୁଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତକୁ ଜୋରଦାର କରିଛି । ଶନିବାର ଶିକ୍ଷାନୁଷ୍ଠାନର ପ୍ରାୟ ୧୫ଜଣ ଛାତ୍ରୀ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ।
ସୂଚନା ଅନୁସାରେ, ଖଣ୍ଡଗିରି ଥାନା ଭରତପୁର ଜିଏ ପ୍ଳଟ ନିକଟରେ ଇନ୍ଦିରା ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସେର୍ଚ୍ଚ (ଆଇ.ଆଇ.ଏମ.ଏସ.ଆର) ଶିକ୍ଷାନୁଷ୍ଠାନ ରହିଛି । ଉକ୍ତ ଶିକ୍ଷାନୁଷ୍ଠାନରେ ୬୦ଜଣ ପିଲା ନାମ ଲେଖାଇଛନ୍ତି । ଏମାନଙ୍କ ଠାରୁ ନାମ ଲେଖା ବାବଦରେ ୧୮ହଜାର ଓ ପ୍ରତିମାସରେ ହଷ୍ଟେଲ ଫି’ ବାବଦ ଅଢେଇ ହଜାର ଟଙ୍କା ନେଇଥିଲେ । ଛାତ୍ରୀମାନେ ସେଠାରେ ରହିବା ସହ ପ୍ରାକ୍ଟିକାଲ କରୁଥିଲେ । ସଂସ୍ଥାର ନିର୍ଦ୍ଦେଶକ ଉକ୍ତ ବିଲଡିଂରେ ପରିବାର ସହ ରହୁଥିଲେ । ପତ୍ନୀ ଘରେ ନଥିବା ବେଳେ ଛାତ୍ରୀମାନଙ୍କୁ ଘରକୁ ଟ୍ରେନିଂ ବାହାନାରେ ଡାକି ଅସଦାଚରଣ କରୁଥିଲେ । ପ୍ରତିବାଦ କଲେ ଶିକ୍ଷାନୁଷ୍ଠାନରୁ ବାହାର କରିଦେବାକୁ ଧମକ ଦେଉଥିଲେ । ଛାତ୍ରମାନେ ପ୍ରଥମେ ଘଟଣାକୁ ହାଲକା ଭାବେ ନେଉଥିବା ବେଳେ ପରବର୍ତ୍ତି ସମୟରେ ନିର୍ଯାତନା ବଢିବା ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା । ପରୀକ୍ଷାରେ ଉର୍ତ୍ତିଣ୍ଣ ହୋଇଥିବା ଜଣେ ଛାତ୍ରୀ ଶନିବାର ଦିନ ସାର୍ଟିଫିକେଟ ମାଗିବାକୁ ଯାଇଥିଲେ । ହେଲେ ତାଙ୍କୁ ସାର୍ଟିଫିକେଟ ଦେବା ବଦଳରେ ସେ ତାଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା ।