ପ୍ରଥମେ ଠାକୁରଙ୍କ ଦର୍ଶନ କଲେ, ପରେ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ଦୀପାଳି ଦାସ
ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ମନମୋହନ ସ୍କୁଲରୁ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି ଦୀପାଳି । ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ ।ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଦୀପାଳିଙ୍କୁ ଜଣାଇଥିଲେ ସମର୍ଥନ ।
ନାମାଙ୍କନ ଦାଖଲ ପୂର୍ବରୁ ମା ପାଟଣେଶ୍ବରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଗୌରବାନ୍ବିତ କରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଛି, ସେଥିପାଇଁ ମାଆଙ୍କୁ ସାହସ ମାଗିଛନ୍ତି ଦୀପାଳି । ଏହାସହ ବାପାଙ୍କ ନାଁ ରଖିବାକୁ ଶକ୍ତି ଓ ସଦବୁଦ୍ଧି ମାଗିଛନ୍ତି ଦୀପାଳି । ବାପାଙ୍କ ପରି ଝାରସୁଗୁଡ଼ାବାସୀଙ୍କ ପାଇଁ କିଛି କରିବାର ଆଶା ରଖିଥିବା ସେ କହିଛନ୍ତି ।
ସ୍ବର୍ଗତ ନବକିଶୋର ଦାସ ଚାହୁଁଥିଲେ ଦୀପାଳି ରାଜନୀତିକୁ ଆସନ୍ତୁ ବୋଲି । ଦୀପାଳିଙ୍କ ଜୀବନର ବଡ଼ ଦିନ ଆରମ୍ଭ ହେଉଥିବା ବେଳେ, ବାପା ନାହାନ୍ତି ବୋଲି କହି ଭାବବିହ୍ବଳ ହୋଇ ପଡ଼ିଥିଲେ । ହେଲେ ସେ ଭାଙ୍ଗିଯିବେନି ବରଂ ଆହୁରି ଶକ୍ତିଶାଳୀ ହେବେ । ବିକାଶର ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବି । ମହିଳାଙ୍କ ବିକାଶକୁ ଆଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ କାମ କରିବି ବୋଲି କହିଛନ୍ତି ଦୀପାଳି ।