ବିଜୟଙ୍କୁ ଛାଡି ଆସନ୍ତା କାଲି ବିଜେଡିରେ ଯୋଗଦେବେ ଦିଲ୍ଲୀପ !

ଓଡିଶା ଫାଷ୍ଟ(ବ୍ୟୁରୋ): ସୋମବାର ବିଜେଡିରେ ଯୋଗଦେବେ ଦିଲ୍ଲୀପ ରାୟ । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ୪୦ରେ ଦିଲ୍ଲୀପ ନବୀନ ନିବାସକୁ ଆସିଥିଲେ । ସେଠାରେ କିଛି ସମୟ ନବୀନଙ୍କ ସହ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ଯାହାକି ଦିଲ୍ଲୀପ ଙ୍କୁ ନେଇ ଅନେକ ଦିନରୁ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଥିଲା । ଏହି ମିଶ୍ରଣ ପର୍ବରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ(ବବି)ଙ୍କ ଯୋଗଦାନ ଥିବା ଚର୍ଚ୍ଚା ହେଉଛି କାରଣ ଗତକାଲି ବବିଙ୍କ ୦୯୯୦ ଗାଡ଼ିରେ ଦିଲ୍ଲୀପ ନବୀନ ନିବାସ ଆସିଥିଲେ ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦିଲ୍ଲୀପ ଆସିଥିଲେ ନବୀନ ନିବାସ ମାତ୍ର ସାଙ୍ଗରେ ନଥିଲେ ବିଜୟ । ଆଜି ତାଙ୍କୁ ଦଳରେ ଯୋଗଦେବାକୁ କୁହାଯାଇଥିଲେ ମଧ୍ୟ ଦିଲ୍ଲୀପ ଏଥିରେ ରାଜି ହୋଇନଥିଲେ । ସେ ସୋମବାର ଅର୍ଥାତ ୧୮ତାରିଖରେ ବିଜେଡିରେ ଯୋଗଦେବେ ବୋଲି କହିଛନ୍ତି ।
ଦିଲ୍ଲୀପ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ପ୍ରତିଶ୍ରୁତି ପାଇ ମଧ୍ୟ ଏହା ହୋଇପାରି ନଥିବାରୁ ଓ ଜଣେ କ୍ଷମତାଶାଳୀ ନେତା ସେ ବିଧାୟକ ଥିବା ଯାଏଁ ଏହି କାମ ହୋଇ ପାରିବ ନାହିଁ ବୋଲି ଲୋକଙ୍କ ମନରେ ଭୁଲ ଧାରଣା ସୃଷ୍ଟି କରୁଛନ୍ତି ବୋଲି କହିବା ସହ ରାଉରକେଲା ବାସୀଙ୍କ ହିତ ଦୃଷ୍ଟିରୁ ସେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ । ଦିଲ୍ଲୀପ ଇସ୍ତଫା ଦେବାପରେ ବିଜୟ ମହାପାତ୍ର ମଧ୍ୟ ବିଜେପିରୁ ଇସ୍ତଫା ଦେଇଥିଲେ । କାହିଁକି ନା ଉଭୟ ଦିଲ୍ଲୀପ ଓ ବିଜୟ ଯୋଡି ନିବିଡ଼ ବୋଲି କାହାକୁ ବା ଅଛପା । ଏହାପରେ ଦିଲ୍ଲୀପ ଓ ବିଜୟ ବିଜେଡିରେ ଯୋଗଦେବନେଇ ଚର୍ଚ୍ଚା ଜୋର ଧରିଥିଲା । ଦିଲ୍ଲୀପ ଇସ୍ତଫା ଦେଇ ବିଦେଶକୁ ଚାଲି ଯାଇଥିଲେ ଓ ସେଠାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଭଉଣୀ ଗୀତ ମେହେଟାଙ୍କ ସହ ସାକ୍ଷାତ କରିଥିଲେ । ସେ ବିଜେଡ଼ିରେ ଯୋଗଦେବା ନେଇ ରାସ୍ତା ଫିଟିଥିଲେ ମଧ୍ୟ ବିଜୟଙ୍କ ବିଜେଡ଼ିରେ ଯୋଗଦାନକୁ ନେଇ କୌଣସି ନିଷ୍କର୍ଷ ବାହାରି ନଥିଲା । ତେଣୁ ଦିଲ୍ଲୀପ ମଧ୍ୟ କିଛି ଦିନ ଚୁପ ରହିଥିଲେ ।
ଏହି ସମୟ ମଧ୍ୟରେ ଦିଲ୍ଲୀପ ଓ ବିଜୟଙ୍କୁ ପୁନର୍ବାର ବିଜେପିରେ ଯୋଗଦେବାକୁ କୁହାଯିବା ପରେ ସେମାନେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛି ଦିଲ୍ଲୀପଙ୍କ ନବୀନ ନିବାସ ଗ୍ରସ୍ତ । ସେହିପରି ଦିଲ୍ଲୀପଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ବିଜୟଙ୍କ ପାଇଁ ଘର ବାହୁଡା ବାଟ ଫିଟାଇବାରେ ସେ ଅସମର୍ଥ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।