ଢେଙ୍କାନାଳ ଲୋକସଭା: ଚର୍ଚ୍ଚାରେ ସତ୍ୟଜିତ ମିଶ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତଥାଗତ ଶତପଥୀଙ୍କ କ୍ଷମତା ରାଜନୀତିରୁ ସନ୍ୟାସ ପରେ, ଢେଙ୍କାନାଳ ଲୋକସଭା ଆସନକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି । ଏହି ଆସନରୁ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ଅଙ୍କକଷା ଚାଲିଛି । ତୃତୀୟ ମହଲାରେ ଆଲୋଚନାକୁ ଆସିଥିବା ୬ ରୁ ୭ ଜଣଙ୍କ ମଧ୍ୟରେ ସତ୍ୟଜିତ ମିଶ୍ରଙ୍କ ନାମ ରହିଛି । ” ଖୋଲାକଥା ଫେମ” ତଥା “ଧର୍ମେନ୍ଦ୍ର ବିରୋଧୀ” ଭାବେ ପରିଚିତ ସତ୍ୟଜିତ ମିଶ୍ରଙ୍କ ନାଁ କୁ କେତେଜଣ ବରିଷ୍ଠ ବ୍ୟକ୍ତି ଗୁରୁତ୍ୱ ଦେବାକୁ ଆରମ୍ଭ କରିଛନ୍ତି । ତେଣୁ ନୂଆ ମୁହଁ ଖୋଜୁଥିବା ନବୀନ ଢେଙ୍କାନାଳ ଲୋକସଭାରୁ ସତ୍ୟଜିତଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚକମା ଦେଇପରନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି । ସତ୍ୟଜିତ ମିଶ୍ର ବିଜେଡି କୁ ଆସିବା ପରେ ସାମାଜିକ ଗଣମାଧ୍ୟମ ଦଳକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିଭିନ୍ନ ପ୍ରଭାବୀ ସଙ୍ଗଠନକୁ ମଧ୍ୟ ଦଳ ସହ ଯୋଡୁଛନ୍ତି । “ଦିଲ ସେ ନବୀନ” , ” ଉଇ ସପୋଟ ବିଜେଡି” ଆଦି ଫେସବୁକ ଗ୍ରୁପରେ ସତ୍ୟଙ୍କ ଛାପ ଦେଖିବାକୁ ମିଳୁଛି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ବିଧାୟକ ସରୋଜ ସାମଲ, ପରଜଙ୍ଗ ବିଧାୟକ ନୃସିଂହ ସାହୁ, ଏବଂ କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ସୁଧୀର(ନିଧି) ସାମଲଙ୍କ ମଧ୍ୟରୁ ସରୋଜ ଏବଂ ନୃସିଂହ ବିଧାନସଭା ଆସନ ଛାଡିବାକୁ ନାରାଜ । ଭୂଷଣ ଏଜେଣ୍ଟ , ଅଭଦ୍ର ବ୍ୟବହାର କରୁଥିବା ନିଧିଙ୍କୁ ସମ୍ବେଦନଶୀଳ ଢେଙ୍କାନାଳ ଲୋକସଭା ଆସନ ଦେବାକୁ ତୃତୀୟ ମହଲା ରାଜି ନୁହେଁ । ହେଲେ ଜଣେ ଢେଙ୍କାନାଳର ନେତାଙ୍କ କହିବା ଅନୁଯାୟୀ ନିଧି ଟିକେଟ ପାଇଁ ଅଜସ୍ର ଅର୍ଥ ଖର୍ଚ୍ଚ କରି ସାରିଲେଣି । ତେବେ ଆଗକୁ ସ୍ଵଛ, ନିର୍ମଳ, ନୂଆ ମୁହଁ ପ୍ରାର୍ଥୀକୁ ଅଗ୍ରାଧିକାର ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Leave a comment