ତାରକା ହୋଟେଲରେ ଧର୍ମେନ୍ଦ୍ର ବିରୋଧୀ ଙ୍କ ମେଳି !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ର ଏକ ତାରକା ହୋଟେଲ ରେ ଧର୍ମେନ୍ଦ୍ର ବିରୋଧୀ ଙ୍କ ମେଳି ନେଇ ରାଜନୈତିକ ମହଲରେ ଗୁଞ୍ଜରଣ । ଭୋଜିରେ ସପ୍ତରଥୀଙ୍କ ମେଳି । ଗତକାଲି ହୋଟେଲ ମେଫେୟାର ଏକ ଭୋଜିକୁ ନେଇ ବିଜେପି ଶିବିରରେ ହଟଚମଟ । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଏହି ଭୋଜି ର ଆୟୋଜନ କରିଥିଲେ । ଯେଉଁଠି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କି ସେମାନଙ୍କ ଆନୁଗତ୍ୟ କେହି ଏହି ଭୋଜିରେ ଉପସ୍ଥିତ ନଥିଲେ ।
ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ହୋଟେଲ ମେଫେୟାର ରେ ଏକ ଭୋଜି ର ଆୟୋଜନ କରିଥିଲେ । ଯେଉଁଥିରେ ଜୁଏଲ ଓରାମ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ସୁରେଶ ପୂଜାରୀ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହିତ ଆଉ ଜଣେ ତୁଙ୍ଗ ନେତା ସାମିଲ ଥିଲେ । ଏହି ବୈଠକରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ମଧ୍ୟରେ ଥିବା ସମ୍ପର୍କ ସମ୍ୱନ୍ଧରେ ଆଲୋଚନା ହେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିପରି ରାଜ୍ୟରେ ବିଜେପିକୁ ଆଗକୁ ବଢିବାକୁ ଦେଉନଥିବା ନେଇ ଚର୍ଚ୍ଚା ହୋଇଥିବା ଏବଂ ଏସମ୍ୱନ୍ଧରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବା ନେଇ ନିଷ୍ପତ୍ତି ହୋଇଥିବା ବିଶେଷସୂତ୍ର ରୁ ସୂଚନା ମିଳିଛି ।
ଏହି ବୈଠକ ସମ୍ୱନ୍ଧରେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ନିକଟରେ ସାଂସଦ ଅପରାଜିତାଙ୍କ ପୁଅ ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷାରେ ୩୬ତମ ସ୍ଥାନରେ ରହିଥିବାରୁ ତାକୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଶ୍ରୀ ମହାପାତ୍ର ଏହି ବୈଠକ ସମ୍ପର୍କରେ ଅଧିକ କିଛି କହି ନଥିଲେ ମଧ୍ୟ ଦଳ ଭିତରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ସାଙ୍ଗଠନିକ ବୈଠକ ଥିଲା ବୋଲି ବିବେଚନା କରାଯାଇଛି । ଏହି ବୈଠକ ପୂର୍ବରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଏକ ବୈଠକରେ ବହୁ ବିଜେପି ନେତା ଏକାଠି ହୋଇଥିଲେ । ହେଲେ ଏଥିରେ ବିଜୟ କିମ୍ବା ଅପରାଜିତା ନଥିଲେ। ଏହି ବୈଠକରୁ ଆଭ୍ୟନ୍ତରୀଣ ରଣକୌଶଳ ପ୍ରସ୍ତୁତିର ଆଭାସ ମିଳୁଛି । ରାଜ୍ୟ ସଭାପତି ଏହାକୁ ନେଇ ଦଳରେ ଏକ ନୂଆ ସମୀକରଣ ଆରମ୍ଭ ହେବ ଏବଂ ଆଗକୁ ଦଳ କିପରି ବଢ଼ିବ ସେନେଇ ଏଭଳି ଗୁପ୍ତ ବୈଠକର ଆୟୋଜନ ହୋଇଥିଲା ବୋଲି ଆଲୋଚନା ହେଉଛି ।
ସେହିପରି ଦଳର ଭବିଷ୍ୟତକୁ ସୁଦୃଢ଼ କରିବାପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିବା ଏବଂ ଦୀର୍ଘଦିନ ଧରି ଶ୍ରୀ ଓରାମ ଓ ଅନ୍ୟ କେତେକ ବରିଷ୍ଠ ନେତା ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବାରୁ ଏବେ ସେମାନଙ୍କୁ ନେଇ ଦଳ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି । ଗତକାଲିର ବୈଠକକୁ ନେଇ ଦିଲ୍ଲୀ ଦରବାର ପର୍ଯ୍ୟନ୍ତ କଥା ଯିବ ବୋଲି ଚର୍ଚ୍ଚା ହେଉଛି ।
ଅପରପକ୍ଷରେ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଦେଖା ଭେଟିବାକୁ ଯାଇଥିଲେ ଏବଂ ସେଇ ମୁହୂର୍ତ୍ତର ଏକ ଫଟୋକୁ ନିଜେ ପୋଷ୍ଟ କରିଥିଲେ । ଯାହାକି ରାଜନୈତିକ ମହଲରେ ଚର୍ଚ୍ଚା ପାଇଁ ଖୁବ ଖୋରଗ ଯୋଗାଇଥିଲା । ମାତ୍ର ବିଜୟ ମହାପାତ୍ର ଅପରାଜିତାଙ୍କ ଭୋଜିରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ଯେ ସେ ଅପରାଜିତା ଙ୍କ ସହ ଅଛନ୍ତି ବୋଲି କିଛି ରାଜନେତା ମତ ରଖିଛନ୍ତି ।
ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା କାମୁଥିବା ନେଇ କିଛିଦିନ ହେବ ଚର୍ଚ୍ଚା ହେଉଛି । ଏପରିକି ରାଜ୍ୟ ସରକାରଙ୍କ ସହ ତାଙ୍କର ଭିତରି ବୁଝାମଣା ନେଇ କେନ୍ଦ୍ର ସରକାର ଙ୍କ ଆଗରେ କିଛି ନେତା ଅଭିଯୋଗ କରିଥିବା ଵିଶେଷ ସୂତ୍ରରୁ ସୂଚନା ମିଳିଛି । ତେଣୁ ଆଗକୁ ବିଜେପି ର କଣ ରଣନୀତି ରହିବ ଏବଂ କେନ୍ଦ୍ର ସରକାର କାହା ଉପରେ ରାଜ୍ୟ ବିଜେପି ସାଙ୍ଗଠନିକ ଦାୟିତ୍ୱ ନ୍ୟସ୍ତ କରିବେ ସେନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହେଲାଣି ।