ଫେସବୁକ ଲାଇଭରେ ଲୋକଙ୍କସହ କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ : ଓଡିଆ ମାନଙ୍କ ଡିଏନଏରେ ବିପର୍ଯ୍ୟୟ ମୁକାବିଲାର ଶକ୍ତି ଅଛି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହସର ସହ କୋରୋନା  ମୁକାବିଲା କରୁଛନ୍ତି । ଓଡିଆ ମାନଙ୍କ ଡିଏନଏରେ ବିପର୍ଯ୍ୟୟ ମୁକାବିଲାର ଶକ୍ତି ଅଛି ।  ଫେସବୁକ୍ ଲାଇଭ ମାଧ୍ୟମରେ ଅନଲାଇନରେ ସାଧାରଣ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ  କହିଛନ୍ତି ଯେ, ଓଡିଆ ଜାତି ଖ୍ରୀଷ୍ଟପୂର୍ବ ୨୬୧ କଳିଙ୍ଗ ଯୁଦ୍ଧରେ ମଧ୍ୟ ହାରିନଥିଲା । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର ମଣିଷ ମଡକକୁ ସାମ୍ନା କରି ପୁଣି ଓଡିଶାକୁ ପୁନନିର୍ମାଣ କରିଥିଲା । ୧୯୧୮ ସ୍ପାନିଶ୍ ଫ୍ଲୁର ମଧ୍ୟ ଓଡିଶା ସଫଳତାର ସହ ମୁକାବିଲା କରିଥିଲା। ୧୯୪୩ ମସିହା ବେଙ୍ଗଲ ଫେମିନି ହେଉ ଅଥବା ସ୍ୱାଧୀନତୋର ଭାରତର ୧୯୭୧ ମସିହାର ବାତ୍ୟା ଓ ୧୯୯୯ ମସିହାର ମହାବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ଦୁର୍ବିପାକରେ ଓଡିଶା ହାର୍ ମାନିନି । ବର୍ଷେ ପୂର୍ବେ ଫନୀ ପ୍ରଭାବକୁ ଓଡିଶାବାସୀ ସଫଳତାର ସହ ମୁକାବିଲା କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିଭଳି ଅଭାବନୀୟ ସମୟରେ ଦେଶବାସୀ ଓ ଓଡିଶାବାସୀଙ୍କୁ ସକରାତ୍ମକ ଭାବନା ଆଣିବାର ଆବଶ୍ୟକତା ରହିଛି । ବୈଶ୍ୱିକ ମହାମାରୀ ପଂଚାୟତ, ବ୍ସକ, ସବ ଡିଭିଜନ, ଜିଲ୍ଲା, ରାଜ୍ୟରେ ସମସ୍ତେ ଏକମନ ଓ ଏକପ୍ରାଣରେ ନିଜ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ତେଣୁ ଏହି ଘଡିସନ୍ଧି ମୁହୂର୍ତରେ ସରକାରୀ ବ୍ୟବସ୍ଥାକୁ ଦୋଷଦେବା ନୁହେଁ ମାତ୍ର ବ୍ୟବସ୍ଥାକୁ ତିଆରି କରିବା ସହ ହାତ ବଢାଇବାର ଆବଶ୍ୟକତା ରହିଛି ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗରିବଙ୍କ ସହାୟତା ପାଇଁ ୩ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କରିଛନ୍ତି ।ଏହି ଯୋଜନାରେ ଗରିବ ଲୋକଙ୍କୁ ବ୍ୟକ୍ତି ପିଛା ମାସକ ପିଛା ୫ କେଜି ଚାଉଳ ଓ ପରିବାର ପିଛା ମାସିକ ୧ କିଲୋ ଡାଲି ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ୩ ମାସ ପାଇଁ ଗ୍ୟାସ ସିଲିଣ୍ଡର ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ନିଜ ଜୀବନକୁ ବାଜିରେ ଲଗାଇ କୋରୋନା ଯୋଦ୍ଧା ଏଲପିଜି ଡେଲିଭରି ବୟ ଘର ଘର ବୁଲି ପ୍ରତିଦିନ ୬୦ ଲକ୍ଷ ଗ୍ୟାସ ଯୋଗାଉଥିବା ସେ ମତବ୍ୟକ୍ତ କରିଛନ୍ତି ।

ସେହିପରି ଗରିବ, ଦିବ୍ୟାଙ୍ଗ, ବିଧବା ଓ ବାର୍ଧକ୍ୟ ଭତାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧ ହଜାର ଟଙ୍କା, କୃଷକ ସମ୍ମାନ ନିଧିରେ ଚାଷୀଙ୍କୁ ୨ ହଜାର ଟଙ୍କା, ଜନଧନ ଆକାଉଂଟ ଥିବା ମହିଳାଙ୍କୁ ମାସିକ ୫୦୦ ଟଙ୍କା ସହାୟତା ଏହି ଯୋଗାଇ ଦିଆଯାଉଛି । ମନରେଗାରେ ମଜୁରୀକୁ ମଜୁରୀ ବୃଦ୍ଧି କରାଯାଇଛି, ଜିଲ୍ଲା ଖଣିଜ ପାଣ୍ଠିରୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ଏସ୍‌ଡିଆର୍‌ଏଫ୍ ପାଣ୍ଠିରୁ କରୋନା ମୁକାବିଲା ପାଇଁ ବିଶେଷ ଭାବରେ ରାଜ୍ୟ ସରକାରଙ୍କୁ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a comment