କାଳିଆ ଛାତ୍ରବୃତ୍ତି ଯୋଜନାକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରଙ୍କ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା ଓ ଏହା କେବଳ ନିର୍ବାଚନୀ ଧୂଆଁବାଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରି ଚାଷୀ ପରିବାରର ପିଲାଙ୍କୁ ବଡ଼ ସ୍ବପ୍ନ ଦେଖଉଛନ୍ତି । କାଳିଆ ଛାତ୍ର ବୃତ୍ତିର ଅର୍ଥରେ ପିଲାମାନେ ଡାକ୍ତର, ଇଂଜିନିୟର ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି । ଏ ନେଇ ଧର୍ମେନ୍ଦ୍ର ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଓବିସି ବର୍ଗର ପିଲାଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଦେବା ବଦଳରେ ରାଜ୍ୟ ସରକାର ସାହୁକାର ଭଳି ଟଙ୍କା ଦେବେ ବୋଲି କହିବା ପରିତାପର ବିଷୟ । ସାଧାରଣ ନିର୍ବାଚନ ଘୋଷଣାକୁ ଆଉ ଦିନ କେଇଟା ବାକି ଥିବା ବେଳେ ଏହି ସମୟରେ ନାନା ଯୋଜନା ପ୍ରଣୟନ କରିବା ଭୋଟରଙ୍କୁ ଭଣ୍ଡାଇବା ଭଳି ହୋଇଛି । ଅପରପକ୍ଷେ ରାଜ୍ୟରେ ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀ ଟଙ୍କା ପାଉ ନ ଥିବା ବେଳେ ମହାପ୍ରୟାଣ ଯୋଜନାର ଅବସ୍ଥା କ’ଣ ରାଜ୍ୟବାସୀ ଜାଣିଛନ୍ତି । ମାଟ୍ରିକ୍ ପରୀକ୍ଷାର ପ୍ରଶ୍ନପତ୍ରକୁ ରାଜ୍ୟ ସରକାର ସମ୍ଭାଳି ପାରୁ ନଥିବା ବେଳେ ସେ ଓଡ଼ିଆ ପିଲାଙ୍କ ଭବିଷ୍ୟତ କ’ଣ ଗଢ଼ିବେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।