ସରିଲା ଧାମନଗର ଉପନିର୍ବାଚନ ପ୍ରଚାର; ମୈଦାନରେ ଦେଖିବାକୁ ମିଳିଲା ୩ଦଳର ଟକ୍କର, କିଏ ମାରିବ ବାଜି ଦେଖିବା ବାକି ରହିଲା
ଧାମନଗର ଉପନିର୍ବାଚନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ଚାଲିଥିଲା l ଜୋରଦାର କ୍ୟାମ୍ପନିଂ । କିଏ ଧରିବ ଧାମନଗର ମଙ୍ଗ ? ମୈଦାନରେ ତିନି ଦଳର ଟକ୍କର ଲାଗିଥିବା ବେଳେ ପ୍ରଚାର ସମୟରେ ମୈଦାନକୁ ଓହ୍ଲାଇଥିଲେ ବହୁ ହେଭିୱେଟ ନେତା । ଭୋଟ୍ ହାତେଇବାକୁ ଦଳ ଦଳ ମଧ୍ୟରେ ଜୋରଦାର ଉଦ୍ୟମ ଜାରି ରହିଥିଲା ।
ବିଜେଡି ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିବା ବେଳେ ରାଲିରେ ସାମିଲ ହୋଇଛନ୍ତି ହଜାର ହଜାର ସମର୍ଥକ ।
ସେହିଭଳି କ୍ୟାମ୍ପନିଂରେ ହେଭିୱେଟଙ୍କ ସହ ସାମିଲ ହୋଇଥିଲେ ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଦଳୀୟ କର୍ମୀ ଓ ନେତାଙ୍କ ସହ ବୁଲି ବୁଲି ପ୍ରଚାର କରିଛନ୍ତି । ସେହିଭଳି ବିଜେଡିକୁ ଟକ୍କର ଦେଇ ବିଜେପି ଓ କଂଗ୍ରେସ ଦଳର ହେଭିୱେଟ ନେତାମାନେ ପ୍ରଚାରର ମଙ୍ଗ ଧରିଥିଲେ । ବିଜେପି ତରଫରୁ ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଜୋରଦାର ପ୍ରଚାର ଚଳାଇଥିବା ବେଳେ କଂଗ୍ରେସ ଦଳ ତରଫରୁ ଜଟଣୀ ବିଧାୟକ ସୁର ରାଉତରାୟ କ୍ୟାମ୍ପେନକୁ ଜୋରଦାର କରିଛନ୍ତି ।
ସେପଟେ ଭୋଟିଂ ପାଇଁ ପ୍ରସ୍ତୁତି କରିଛି ପ୍ରଶାସନ । ପ୍ରତି ବୁଥକୁ ପଠାଯାଉଛି ଇଭିଏମ । କାଲି ସମସ୍ତ ବୁଥରେ ଇଭିଏମ ପହଞ୍ଚିବ । ଉପନିର୍ବାଚନରେ ୨ ଲକ୍ଷ ୩୮ ହଜାର ୪୧୭ ମତଦାତା ବାଛିବେ ନିଜର ବିଧାୟକଙ୍କୁ । ମତଦାନ ପାଇଁ ୨୫୨ ପୋଲିଂ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ୮୦ ବର୍ଷରୁ ଅଧିକ ବୟସ୍କ କିମ୍ବା ଦିବ୍ୟାଙ୍ଗଙ୍କଠୁ ପୋଷ୍ଟାଲ ବାଲାଟ ସଂଗ୍ରହ ହୋଇଛି । ୧୦୭ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୨୬ ଜଣ ମାଇକ୍ରୋ ଅବଜର୍ଭର, ୨ ପ୍ଲାଟୁନ୍ ସିଆରପିଏଫ୍, ୨ ପ୍ଲାଟୁନ୍ ବିଏସଏଫ୍, ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ନିର୍ବାଚନ ପାଇଁ ମୁତୟନ ହେବେ । ନଭେମ୍ବର ୩ ତାରିଖରେ ଭୋଟ ହୋଇ ୬ ତାରିଖରେ ଫଳ ପ୍ରକାଶ ପାଇବ । ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ।