ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ; ୩ ଦଳର ପ୍ରାର୍ଥୀ ଘୋଷଣା ପରେ ଭୋଟ ହାତେଇବାପାଇଁ ଚାଲିଛି ରଣନୀତି

0

ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ହୋଇଗଲାଣି ସରଗରମ । ଅନ୍ୟପଟେ ୩ ଦଳ ପକ୍ଷରୁ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ ନିଜ ଦଳକୁ ଜିତାଇବାପାଇଁ କର୍ମୀମାନେ ଆରମ୍ଭ କରିଦେଇଛନ୍ତି କସରତ । ପୂର୍ବଘୋଷିତ ବିଜେପିର ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ୍ ଇତିମଧ୍ୟରେ ପ୍ରଚାର ଆରମ୍ଭ କରିଥିଲାବେଳେ ବୁଧବାର ବିଜେଡି ଓ କଂଗ୍ରେସ ନିଜ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।

ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲାବେଳେ ତିହିଡ଼ିି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ତେବେ ଅବନ୍ତୀଙ୍କ ପ୍ରାର୍ଥୀତ୍ୱ ବିରୋଧୀଙ୍କ ହିସାବକୁ ବିଗାଡ଼ି ଦେଇଛି । କାରଣ ବିଜେଡି ଟିକେଟ୍ ପାଇଁ ଦୁଇ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ମୁକ୍ତିକାନ୍ତ ମଣ୍ଡଳ ପ୍ରବଳ ଦାବିଦାର ଥିଲେ । ନୂଆଚେହେରା ଡାକ୍ତର ସଞ୍ଜୟ ଦାସଙ୍କୁ ମଧ୍ୟ କେତେକ ପ୍ରାର୍ଥୀ କରିବା ପାଇଁ କହୁଥିଲେ ।

ହେଲେ ଆଲୋଚନା ଓ ପର୍ଯ୍ୟାଲୋଚନାର ଅନ୍ତ ଘଟାଇ ସୁପ୍ରିମୋ ଆଦୌ ଚର୍ଚ୍ଚାରେ ନଥିବା ଅବନ୍ତୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଶାସକ ବିଜେଡିର ଏହା ‘ମାଷ୍ଟର ଷ୍ଟ୍ରୋକ୍‌’ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଧାମନଗର ଉପନିର୍ବାଚନ ଟିକେଟ୍ ପାଇଁ ଆରମ୍ଭରୁ ବିଜେଡି ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଲମ୍ବା ଥିଲା । ଟିକେଟ୍ ପାଇଁ ପ୍ରାର୍ଥୀମାନେ ରାଜଧାନୀରେ ଡେରା ପକାଇଥିଲେ । ବିଜେପିରୁ ଏକମାତ୍ର ସୂରଜ୍‌ଙ୍କ ନାମ ପ୍ରଚାର ହେଉଥିବାବେଳେ ବିଜେଡିରୁ ୭ ଓ କଂଗ୍ରେସରୁ ୫ ଜଣଙ୍କ ନାମ ଉପରେ ଦଳର ଛାମୁଆ ନେତାମାନେ ତର୍ଜମା କରିଥିଲେ । ଶେଷରେ ବିଜେଡି ବହୁ ଭାବିଚିନ୍ତି ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀଙ୍କୁ ପ୍ରାର୍ଥୀ କରିଛି । ମହିଳା ଏସ୍‌ଏଚ୍‌ଜି ଗଠନ ଓ ମିଶନଶକ୍ତି କାର୍ଯ୍ୟକ୍ରମରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି ।

ଅବନ୍ତୀଙ୍କ ମାଧ୍ୟମରେ ମହିଳା ଭୋଟ୍‌କୁ ହାତେଇବା ଯୋଜନା କରିଛି ଦଳ । ଆହୁରିମଧ୍ୟ ତାଙ୍କର ତିହିଡ଼ି ବ୍ଲକ୍‌ରେ ବେଶ୍ ଦବ୍‌ଦବା ରହିଛି। ଏଥିସହ ସେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସମର୍ଥକ ବୋଲି ଆଲୋଚନା ହେଉଛି । ନାମଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଅବନ୍ତୀ । ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ପାଇଁ ବିଜେଡି ନେତୃତ୍ୱ ବୁଧବାର ଭୁବନେଶ୍ୱରରେ ଆଲୋଚନା କରିଥିଲେ । ପୂର୍ବତନ ବିଧାୟକ ରାଜେନ୍ଦ୍ର କହିଛନ୍ତି, ଅବନ୍ତୀ ମୋ ସମ୍ପର୍କୀୟ । ତାଙ୍କ ବିଜୟ ପାଇଁ ସମ୍ପୂୂର୍ଣ୍ଣ ସହଯୋଗ ରହିବ। ଅନ୍ୟପକ୍ଷରେ ଧାମନଗରରେ କଂଗ୍ରେସର ଯୋଦ୍ଧା ସାଜିଛନ୍ତି ବାବା ହରେକୃଷ୍ଣ ସେଠୀ । ପେସାରେ ଓକିଲ୍ ଓ ନିଶାରେ ରାଜନେତା ହରେକୃଷ୍ଣଙ୍କୁ ଦଳ ପସନ୍ଦ କରିଛି । ଏଆଇସିସି ସାଧାରଣ ସମ୍ପାଦକ ମୁକୁଲ ୱାସନିକ ତାଙ୍କ ନାଁ ଘୋଷଣା କରିଛନ୍ତି । ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ହରେକୃଷ୍ଣ ହାଇକମାଣ୍ଡ ସୋନିଆ ଗାନ୍ଧି, ନେତା ରାହୁଲ ଗାନ୍ଧି, ପିସିସି ସଭାପତି ଓ ଭଦ୍ରକ ଜିଲ୍ଲା ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a comment