ଧାମନଗର ଉପନିର୍ବାଚନ ବିଜୟ ପାଇଁ ବିଜେଡିକୁ ସାମଲ ଭରସା
ଭୁବନେଶ୍ୱର, ଓଡ଼ିଶା(ଫାଷ୍ଟ): ଧାମନଗର ଉପନିର୍ବାଚନ ବିଜୟ ଚିନ୍ତା ଘରିଛି ବିଜେଡିକୁ। ବିଜେଡି ଓ ବିଜେପି ମଧ୍ୟରେ ଏକ ରୋଚକ ଲଢେ଼ଇ ଦେଖିବାକୁ ସ୍ଥାନୀୟ ବାସିନ୍ଦା ଆଶା ରଖିଥିବା ବେଳେ ବିଜେଡି ବିଜୟ ଧାରା ବଜାୟ ରଖିବା ପାଇଁ କଳ ବଳ କୌଶଳ ଜାରୀରଖିଛି । ଅପରପକ୍ଷରେ ଉପନିର୍ବାଚନରେ ଜିଣି ୨୦୨୪ ପାଇଁ ଏକ ବଡ଼ ସଂକେତ ଦେବାକୁ ବିଜେପି ମଧ୍ୟ ରଣନୀତି କରିଛି । ଏସବୁ ରାଜନୀତି ଗଣିତ ମଧ୍ୟରେ ଏବେ ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ଉପରେ ବିଜେଡି ଆଖି ପକାଇଛି । ମନମୋହନଙ୍କ ସହ ବିଜେଡ଼ି ଭିତରୀ ବୁଝାମଣା କରି ଧାମନଗର ଆସନ ଅକ୍ତିଆର କରିବାକୁ ସମସ୍ତ କାର୍ଯ୍ୟ ଶେଷ ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ କିଛିଦିନ ହେଲାଣି ସେଠାରେ ଯାଜପୁର ନେତାଙ୍କ ଭିଡ଼ ଲାଗିଛି । ଯାହାକୁ ଧମନଗର ବାସିନ୍ଦା ନାପସନ୍ଦ କରିବା ସହ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେଣୁ ମନମୋହନଙ୍କ କାନ୍ଧର ସହାରା ନେଇ ଉପନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ସୂଚନା ଅନୁଯାୟୀ, ଧମନଗରର ଗତ ସାଧାରଣ ନିର୍ବାଚନର ବିଜେଡ଼ି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଦାଶଙ୍କୁ ମନାଇବାରେ ବିଫଳ ହେବାପରେ ଏବେ ବିଜେପି ଧାମନଗର ଉପନିର୍ବାଚନର ମଙ୍ଗ ଧରିଥିବା ମନମୋହନଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ପାଇଁ କାମ କଲେ ଦଳ ପକ୍ଷରୁ ଚବିଶରେ ତାଙ୍କୁ କୌଣସି ବିଶେଷ ଉପହାର ଦିଆଯିବ ବୋଲି ଚର୍ଚ୍ଚା ହେଉଛି।
ପୂର୍ବରୁ ମନମୋହନ ଧାମନଗରରୁ ବିଧାୟକ ହେବା ସହ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ। କିନ୍ତୁ ଏହାପରେ ଚାନ୍ଦବାଲିରୁ ଲଢ଼ି ସେ ୨୦୦୯, ୨୦୧୪ ଓ ୨୦୧୯ରେ ପରାଜୟ ବରଣ କରିଥିଲେ।