ଡିଜିଙ୍କ ରଥଯାତ୍ରା ବୈଠକ: ମୁତୟନ ହେବେ ୧୮୦ ପ୍ଲାଟୁନ ଫୋର୍ସ
ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଉ ମାତ୍ର ୨ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ନେଇ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ପୋଲିସ୍ ଡିଜି । ପୁରୀରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସମଗ୍ର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସେବାକୁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଇଛି ।
ଆଜି ପୁରୀ ପୌରସଦନରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ବୋଧିତ କରି ପୋଲିସ ଡିଜି ସୁନୀଲ ବଂଶଲ ଏହା କହିଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ସ୍ଵତନ୍ତ୍ର ପ୍ଲାନ୍ ସହ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତବର୍ଷ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ୧୦ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଆଜି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏଡିଜି, ଆଇଜି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୋଲିସ ସେବା ମନୋଭାବ ନେଇ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାଥମିକତା ଦିଆଯାଇଛି ।
ରେଳବାଇ ଓ ତଟ ସୁରକ୍ଷା ସହ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସେହିପରି ପହଣ୍ଡି, ରଥଟଣା, ଜନଗହଳି ନିୟନ୍ତ୍ରଣ, ଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ବଛା ବଛା ୧୦୦୦ ଅଧିକାରୀ ମୁତୟନ ହେବେ । ସେହିପରି ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ ହୋଇଛି । ବଡଦାଣ୍ଡ ସହ ପୁରୀ ସହରକୁ ୧୦ଟି ଜୋନ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। କଣ୍ଟ୍ରୋଲ ରୁମ୍ ସହର ଭିତରେ ଦୁଇଟି ଓ ସହର ବାହାରେ ଗୋଟିଏ ଭାଗରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।