ଦେବୀ ରଞ୍ଜନ ତ୍ରିପାଠୀ(ଟୁବୁ) ହେବେ ଛାତ୍ର ସଭାପତି, ଆଶାୟୀଙ୍କ ପାଇଁ ନୂତନ ୪ ପଦ !!

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଅନେକ ଦିନ ତୁଙ୍ଗ ନେତାଙ୍କ ଘନଘନ ବୈଠକ ପରେ ବିଜୁ ଜନତା ଦଳ ଛାତ୍ର ଓ ଯୁବ ସଭାପତି ଚୟନ ପ୍ରକ୍ରିୟା ଶେଷ ହୋଇଛି । ସର୍ବସମ୍ମତି କ୍ରମେ ଛାତ୍ର ସଭାପତି ଭାବେ ଦେବୀ ରଞ୍ଜନ ତ୍ରିପାଠୀ(ଟୁବୁ)ଙ୍କ ନାଁରେ ମୋହର ବାଜିଥିବାବେଳେ ଯୁବ ସଭାପତି ଭାବେ ନୂତନ ଚେହେରା ଦେଖିବାକୁ ମିଳିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହା ଉପରେ ଅଧିକ ତର୍ଜମା ଚାଲିଥିବା ସୂଚନା ମିଳୁଛି । ଅନେକ ଦିନ ପୂର୍ବରୁ ଏହା ଚୟନ ହେବାକୁ ଥିବାବେଳେ ଆଶାୟୀଙ୍କ ଲମ୍ବା ଧାଡି ଏବଂ ଏହାପରେ କରୋନା ସଂକ୍ରମଣ ଯୋଗୁଁ ଏଥିରେ ବିଳମ୍ବ ଘଟିଥିଲା । ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଛାତ୍ର ସଭାପତି ରେସରେ ଥିବା ଅନ୍ୟ ଆଶାୟୀଙ୍କୁ ବି ନିରାଶ କରିନାହାନ୍ତି । ସେମାନଙ୍କ ପାଇଁ ଦଳରେ କିଛି ସ୍ୱତନ୍ତ୍ର ପଦ ସୃଷ୍ଟି ହୋଇଛି । ଛାତ୍ର ସଭାପତିଙ୍କ ପରେ ୩ ଜଣ କାର୍ଯ୍ୟକାରିଣୀ ସଭାପତି, ଜଣେ ସେକ୍ରେଟାରୀ ଜେନେରାଲ ପଦ ପାଇଁ ଅଜିତ ବେହେରା, ରାକେଶ ରାଜ ସ୍ୱାଇଁ, ହରିଶଙ୍କର ରାଉତ ଓ ପଶ୍ଚିମ ଓଡ଼ିଶାରୁ ଜଣଙ୍କ ନାଁ ସ୍ଥିର ହୋଇଥିବା ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, କିଛିଦିନ ହେଲା ଶାସକ ଦଳ ପକ୍ଷରୁ ତୃଣମୂଳ ସ୍ତରରେ ଏହାକୁ ସୁଦୃଢ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ ପର୍ଯ୍ୟବେକ୍ଷକ ଦାୟିତ୍ୱ ସୁଚାରୁ ରୁପେ ତୁଲାଇ ଥିବା ଏହି ଛାତ୍ର ନେତାଙ୍କୁ ନୂତନ ଦାୟିତ୍ୱ ପୁରସ୍କାର ରୂପେ ପ୍ରଦାନ କରାଯାଇଛି । ଏହି ପୁରସ୍କାର ସେମାନଙ୍କ ମଧ୍ୟରେ ଦଳକୁ ଆହୁରି ମଜବୁତ କରବାକୁ ଉତ୍ସାହ ଯୋଗାଇବ ବୋଲି ଚର୍ଚ୍ଚା ହେଉଛି ।

Leave a comment