ଆଜି ଦେବସ୍ନାନ ପୂର୍ଣ୍ଣିମା, ସ୍ନାନବେଦୀରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ଆସି ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଧାଡ଼ି ପହଣ୍ଡିରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସ୍ନାନ ବେଦିକୁ ଅଣାଯାଇଥିଲା । ବିଭିନ୍ନ ରୀତିନୀତି ପରେ ୧୦୮ ଗରା ଜଳରେ ସ୍ନାନ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ଅନୁଷ୍ଠିତ ହୋଇଥିଲା। ପରେ ନୀତି ନିୟମ ଅନୁସାରେ ଶ୍ରୀଜୀଉଙ୍କୁ ଗଜାନନ ବେଶ କରାଯାଇଥିଲା ।

ତେବେ ଚଳିତବର୍ଷ ସ୍ନାନଯାତ୍ରା ପାଇଁ ନିୟୋଜିତ ସେବାୟତ, ପରିଚାଳନା କମିଟି ଓ ଅଧିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ନିୟମ ଲାଗୁ କରାଯାଇଛି । ଏଥିସହ ଶ୍ରୀଜୀଉଙ୍କୁ ଭକ୍ତଙ୍କ ସ୍ପର୍ଶ ଉପରେ କଟକଣା ଜାରି କରାଯାଇଛି । ଦଇତାପତି ନିଯୋଗ, ପ୍ରତିହାରୀ ନିଯୋଗ, ୪ ବାଡ଼ଗ୍ରାହୀଙ୍କୁ ଏହାର ନିରୀକ୍ଷଣ ନେଇ ଦାୟିତ୍ବ ଦିଆଯାଇଛି ।

ଅପରପକ୍ଷରେ ସିଂହଦ୍ୱାର ପ୍ରବେଶ ପଥରେ ଆଜି ସକାଳୁ ଜୟ ବିଜୟ ମୂର୍ତ୍ତି ସ୍ଥାପନ କରାଯାଇଛି । ବାତ୍ୟାରେ ଏହି ମୂର୍ତ୍ତି ଭାଙ୍ଗି ଯାଇଥିଲା । ତେବେ ଏହି ମୂର୍ତ୍ତି ଖଣ୍ଡେଲାଇଟ୍‌ ପଥରରେ ତିଆରି କରାଯାଇଛି । ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଶୁଖୁଆପଡ଼ାର ଶିଳ୍ପୀ ନିର୍ମଳ ମହାରଣା ଏହି ମୂର୍ତ୍ତି ତିଆରି କରିଛନ୍ତି ।

Leave a comment