ବଙ୍ଗୋପସାଗରରେ ଲଘୁଚାପ, ୧୪ରେ ବର୍ଷା ସମ୍ଭାବନା

0

ଓଡିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପ୍‌ଲାଇନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହା ଧୀରେ ଧୀରେ ଘନୀଭୂତ ଆସନ୍ତା ୧୪ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଏହା ସାଇକ୍ଲୋନିକ ଷ୍ଟର୍ମ ରୂପ ନେବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଆସନ୍ତା ୧୧ କିମ୍ବା ୧୨ ତାରିଖ ବେଳକୁ ଲଘୁଚାପର ଗତିବିଧି ସମ୍ପର୍କରେ ଜଣାପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି । ଯଦି ଲଘୁଚାପ ବାତ୍ୟା ରୂପ ନିଏ କିମ୍ବା ଏହା ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟ ଦେଇ ଗତି କରେ ତେବେ ଉପକୂଳ କିମ୍ବା ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ବର୍ଷା ସମ୍ଭାବନା ଯୋଗୁଁ ଚାଷୀମାନେ ଧାନ ଅମଳ କରିଦେବାକୁ ପରାମର୍ଶ ଦିଆଯାଇଛି ।  

ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧ରୁ ୨ ଡିଗ୍ରୀ ଯାଏ ହ୍ରାସ ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରଭାବ ବୃଦ୍ଧି ପାଇବ ।

Leave a comment