ଦେବଦୁତ ସାଜିଲେ ଯୁବ ଏସଆଇ: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ବାଇକରେ ଡାକ୍ତରଖାନା ପହଞ୍ଚାଇଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ନୀଳବେର୍ଣ୍ଣି ସାହି ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ବାଇପାସ ରାସ୍ତାରେ ଆଜି ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଗୁରୁତର ଆହତ ହୋଇ ପଡ଼ିଥିବା ଜଣେ ଅଚିହ୍ନା ଯୁବକକୁ ଦେବଗଡ଼ ଥାନାରେ କାର୍ଯ୍ୟରତ ଜଣେ ଯୁବ ଏସଆଇ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନୀଳବେର୍ଣ୍ଣି ସାହି ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ବାଇକରୁ ପଡି ଜଣେ ଯୁବକ ଗୁରୁତର ହୋଇ ପଡି ରହିଥିଲେ। ଦୀର୍ଘ ସମୟ ଧରି ଗୁରୁତର ଯୁବକ ରାସ୍ତାରେ ପଡି ରହିଥିଲେ ମଧ୍ୟ ସେଠାରେ ଉପସ୍ଥିତ କେତେକ ଲୋକ ମୋବାଇଲ ଫୋନରେ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ, ହେଲେ କେହି ମଧ୍ୟ ଗୁରୁତର ଯୁବକଙ୍କୁ ଡାକ୍ତରଖାନା ନେବାକୁ ଛୁଇଁ ନଥିଲେ। ସେହି ସମୟରେ ଦେବଗଡ଼ ଥାନାରେ କାର୍ଯ୍ୟରତ ଯୁବ ଏସଆଇ ବୁଦ୍ଧରାୟ ମାଝୀ ସାଦା ପୋଷାକରେ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଗହଳି ଦେଖି ସେଠାରେ ଅଟକିଥିଲେ। ପରେ ଅନ୍ୟ ଜଣେ ଥାନା କର୍ମଚାରୀଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଥିବା ଯୁବକକୁ ବାଇକ ଯୋଗେ ବୋହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ଲେଖା ହେବା ଯାଏଁ ଯୁବକର ପରିଚୟ ମିଳିନଥିବା ବେଳେ ଯୁବ ଏସଆଇ ଶ୍ରୀ ମାଝୀଙ୍କ ମାନବିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ସେହିପରି ଗତ କିଛିଦିନ ପୂର୍ବେ ଶ୍ରୀ ମାଝୀ ଅନ୍ୟ ଜଣେ ଯୁବ ଏସଆଇ ପ୍ରତାପ ଚନ୍ଦ୍ର ଦଳେଇଙ୍କ ସହ ମିଶି ଦେବଗଡ଼ ଥାନା ଅନ୍ତର୍ଗତ ବଳମ-କଣ୍ଢଳ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ମୃତ୍ୟୁ ବରଣ କରିଥିବା ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କ ମୃତ ଦେହ ବୋହି ଚର୍ଚ୍ଚାକୁ ଆସିଥିଲେ।