କ୍ଷୀର ଦର ନବଢ଼ିଲେ ଛାଡ଼ିବୁ ଦୁଗ୍ଧଚାଷ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ଷୀର ଦର ନବଢ଼ିଲେ ଛାଡ଼ିବୁ ଦୁଗ୍ଧଚାଷ । ଏଭଳି କିଛି ଧମକପୂର୍ଣ୍ଣ ଅଭିଯୋଗ କରିଛନ୍ତି ଦୁଗ୍ଧଚାଷୀ । ସେମାନଙ୍କ ଅଭିଯୋଗ ମୁତାବକ, ଘରୋଇ ଦୁଗ୍ଧ କମ୍ପାନୀ ନିୟମିତ ଭାବେ ଦର ବଢାଉଥିବା ବେଳେ ସରକାରୀ ସଂସ୍ଥା ଓମଫେଡ କାହିଁକି ହାତବାନ୍ଧି ବସିଛି । ଗୋ ଚାରା ଦର ବଢିଛି, ପେଟ୍ରୋଲ, ଡିଜେଲ ଦର ବଢିବାରୁ ଗାଡି ଭଡା ମଧ୍ୟ ବଢିଛି , ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବି ବଢୁଛି । ଏଭଳିସ୍ଥିତିରେ ଦୁଗ୍ଧ ଚାଷୀମାନେ ବଞ୍ଚିବେ କେମିତି? ରାଜ୍ୟ ସରକାର କାହିଁକି ଚାଷୀଙ୍କଠାରୁ କିଣୁଥିବା ଦର ପରିବର୍ତ୍ତନ କରୁନାହାଁନ୍ତି? ଦୁଗ୍ଧ ଚାଷୀମାନେ ଆଉ ଦୁଗ୍ଧ ଚାଷ କରିବେ ନା ନାହିଁ? ଆଜି ଏମିତି କିଛି ପ୍ରଶ୍ନରେ ଦୁଗ୍ଧ ଚାଷୀମାନେ ବିଭାଗୀୟ ମନ୍ତ୍ରୀଙ୍କୁ ଘେରିଛନ୍ତି ।
କୃଷି ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଆଜି ରାଜ୍ୟର ଦୁଗ୍ଧ ଚାଷୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ବାଲେଶ୍ବର, କଳାହାଣ୍ଡି, ବରଗଡ, ପିପିଲି, କୋରାପୁଟ, ଜଗତସିଂହପୁର ଭଳି ସବୁ ଜିଲ୍ଲାରୁ ଚାଷୀ ସାମିଲ ହୋଇଥିଲେ । ବୈଠକରେ ଜଣଙ୍କ ପରେ ଜଣେ ଚାଷୀ ଛିଡା ହୋଇ ଦୁଗ୍ଧ ଚାଷୀ ନିଜ ନିଜ ସମସ୍ୟା ଓ ଦୁଃଖ କଥା ଉତଥାପନ କରିଥିଲେ ।
୨୦୧୪ରେ ଶେଷ ଥର ପାଇଁ ରାଜ୍ୟ ସରକାର ଦୁଗ୍ଧ ଦର ବୃଦ୍ଧି କରିଥିଲେ । ଏଭିତରେ ମିଲ୍କ ମୁଁ ୪ ଟଙ୍କା ଓ ଦିଲ୍ଲୀର ମଦର୍ସ ଡାଏରୀ ମଧ୍ୟ ୪ ଟଙ୍କା ଦର ବଢାଇଛି । ଜଣେ ଚାଷୀ କହିଥିଲେ ଯେ, ଡିଜେଲ ପେଟ୍ରୋଲ ଦର ବଢିଲା, ଦରଦାମ ବଢିଲା, ଗାଡି ମଟର ଭଡା ବଢିଲା, ଗାଇ ଦାନା ଦର ବି ବଢିଲା । କିନ୍ତୁ ଚାଷୀଙ୍କ ଦୁଧର ଦର କାହିଁକି ବଢୁନି । ଦୁଗ୍ଧ ଚାଷୀଙ୍କ ପାଇଁ ଚାଷୀ କାହିଁକି ବିମୁଖ ବୋଲି ପ୍ରଶ୍ନ କରିଛନ୍ତି ।
ଦୁଗ୍ଧ ଦର ବୃଦ୍ଧି ନହେଲେ ସେମାନେ ଦୁଗ୍ଧ ଚାଷରୁ ଓହିରିବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି । କାରଣ ଓମଫେଡ ଚାଷୀଙ୍କୁ ଯେତିକି ଦର ଦେଉଛି ତାହା ମିଲ୍କ ମୁଁ ଏବଂ ଦ୍ଲିଲୀ ଡାଏରୀ ଭଳି ଘରୋଇ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ତୁଳନାରେ ଢେର କମ ରହିଛି । ଆବଶ୍ୟକ ପଡିଲେ ସେମାନେ ଆଉ ଓମଫେଡକୁ କ୍ଷୀର ଯୋଗାଇବେ ନାହିଁ ବୋଲି ମଧ୍ୟ କହିଛନ୍ତି ।