ତ୍ବଚା ପାଇଁ ଉପାଦେୟ କଦଳୀ ଚୋପା

0

ଯଦି ଆପଣ କଦଳୀ ଖାଆନ୍ତି ତେବେ ଆପଣଙ୍କୁ ଜଣା ଥିବ ଏହା ଆମ ସ୍ବାସ୍ଥ୍ୟ ପକ୍ଷେ କେତେ ହିତକାରୀ। କିନ୍ତୁ ଆପଣ ଯେତେବେଳେ କଦଳୀ ଖାଆନ୍ତି ଏହାର ଚୋପାକୁ ବେକାର ଭାବି ଫୋପାଡ଼ି ଦେଇଥାନ୍ତି। ଆପଣ ଜାଣିଛନ୍ତି କି ଆପଣ ଫୋପାଡ଼ି ଦେଉଥିବା କଦଳୀ ଚୋପା ଆମ ପାଇଁ କେତେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହା ତ୍ବଚାର ସୈାନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ।

କଦଳୀ ଚୋପାରେ ଅନେକ ପ୍ରକାରର ଭିଟାମିନ୍ ଥାଏ ଯାହା ଆମ ଶରୀରରେ ଏନଜାଇମ ଏବଂ ପ୍ରୋଟିନକୁ ସକ୍ରିୟ କରିଥାଏ । ଫଳରେ ତ୍ବଚାରେ ଥିବା କୋଲୋଜେନ୍(ଅସ୍ଥି ଏବଂ ତନ୍ତୁରେ ଥିବା ପୁଷ୍ଟିସାର) ଏବଂ ନମନୀୟତା ବଢ଼ିଥାଏ। ଆସନ୍ତୁ ଆଜି ଆମେ କଦଳୀ ଚୋପାର ଫାଇଦା ବିଷୟରେ ଜାଣିବା। ଏହା ବ୍ୟବହାର କରିବା ଦ୍ବାରା ଆପଣଙ୍କ ଚର୍ମ ସମ୍ବନ୍ଧୀୟ କି କି ସମସ୍ୟା ଦୂର ହେବ।

ଯଦି ଆପଣଙ୍କ ତ୍ବଚା କୁଞ୍ଚିତ ହେବାର ଦେଖାଯାଇଥାଏ ତେବେ କଦଳୀ ଚୋପା ବ୍ୟବହାର କରିବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ। ଚର୍ମ କୁଞ୍ଚନ ଦୂର କରିବା ପାଇଁ କଦଳୀ ଚୋପା ଭିତରେ ଥିବା ଅଂଶକୁ ନିଜ ତ୍ବଚାରେ କିଛି ସମୟ ଘଷିବା ପରେ ଗୋଲାପ ଜଳ ଲଗାନ୍ତୁ ଏବଂ ୧୫ମିନିଟ ପରେ ତ୍ବଚାକୁ ଧୋଇ ଦିଅନ୍ତୁ। ଏହା କରିବା ଦ୍ବାରା ତ୍ବଚାରେ କୁଞ୍ଚନ ଦୂର ହୋଇଥାଏ।
ଯଦି ଆପଣଙ୍କ ଆଖି ତଳେ କଳାଦାଗ ହୋଇଛି ଏବଂ ଆପଣ ଏହାଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ କଦଳୀ ଚୋପା ବ୍ୟବହାର କରି ପାରିବେ। ଏଥିପାଇଁ ଆପଣଙ୍କୁ କଦଳୀ ଚୋପାରେ ଥିବା ଫାଇବରକୁ ବାହାର କରି ସେଥିରେ ଗୋଟିଏ ଚାମଚ ଘିଁକୁଆରୀ ଜେଲ୍ ମିଶାଇବାକୁ ପଡ଼ିବ। ଏହି ମିଶ୍ରଣକୁ ଆଖି ତଳେ ଲଗାନ୍ତୁ। ୧୦ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ କଳା ଦାଗ ଦୂର ହୋଇଯିବ।
ତ୍ବଚା ଗୋରା ହେବା ପାଇଁ ଆପଣ ବଜାରରୁ କେତେ ପ୍ରକାରର ପ୍ରସାଧନ ସାମଗ୍ରୀ କିଣି ଆଣିଥାନ୍ତି। କିନ୍ତୁ କୈାଣସି ଧରଣର ଫରକ ଦେଖାଯାଇନଥାଏ। କିନ୍ତୁ ଏଥିରେ ବ୍ୟସ୍ତନହୋଇ ସୁନ୍ଦର ଓ ଗୋରା ତ୍ବଚା ପାଇଁ ଆପଣ କଦଳୀ ଚୋପା ବ୍ୟବହାର କରିପାରିବେ। ଏଥିପାଇଁ କଦଳୀ ଚୋପାର ମିଶ୍ରଣ ପ୍ରସ୍ତୁତ କରି ଏଥିରେ ବେକିଙ୍ଗ ସୋଡ଼ା ଏବଂ ଟିକେ ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ୧୦ମିନିଟ୍ ତ୍ବଚାରେ ଘଷିବା ପରେ ଥଣ୍ଡାପାଣିରେ ଧୋଇ ଦିଅନ୍ତୁ।
କଦଳୀରେ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ। ଯାହା ଆମ ଭାତୁଡ଼ି ଚିହ୍ନ ଦୂର କରିବାରେ ସହାୟକ ହୋଇଥାଏ। ଏଥିପାଇଁ ଆପଣଙ୍କୁ ରାତିସାରା ଭାତୁଡ଼ିଚିହ୍ନ ଉପରେ କଦଳୀ ଚୋପାକୁ ରଖି ଶୋଇବାକୁ ପଡ଼ିବ। ଏହା କରିବା ଦ୍ବାରା ଆପଣଙ୍କୁ ଏଥିରୁ ମୁକ୍ତି ମିଳିବ।
ଯଦି ଆପଣଙ୍କ ତ୍ବଚାରେ ବ୍ରଣ ହୋଇଛି ତେବେ ଆପଣ କଦଳୀ ଚୋପାକୁ ବାଟି ଏଥିରେ ମହୁ ଏବଂ ହଳଦୀ ମିଶାଇ ତ୍ବଚାରେ ଲଗାଇବେ ତେବେ ଏଥିରୁ ମୁକ୍ତି ମିଳିବ।
ତ୍ବଚାକୁ ସୁନ୍ଦର କରିବା ସହ ଏହା ଟ୍ୟାନିଙ୍ଗ୍ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଆପଣ କଦଳୀ ଚୋପାକୁ ତ୍ବଚାରେ ଘଷନ୍ତୁ। ଏଥିପାଇଁ ଆପଣଙ୍କୁ କଦଳୀ ଚୋପାର ମିଶ୍ରଣରେ ଗୋଟିଏ ଚାମଚ କମଳା ଚୋପାର ପାଉଡର ଏବଂ ଦହି ମିଶାଇ ଭଲ କରି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ବଚାରେ ଲଗାଇ ଧୋଇ ଦିଅନ୍ତୁ। ଏହା କରିବା ଦ୍ବାରା ଟ୍ୟାନିଙ୍ଗ ସମସ୍ୟା ଦୂର ହୋଇଥାଏ।

Leave a comment