ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି; ସୋମବାର ଦିନ ସାଧାରଣ ୱାର୍ଡକୁ ସ୍ଥାନାନ୍ତର ହୋଇପାରନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇ ଜାତୀୟ ରାଜଧାନୀ ଅନ୍ତର୍ଗତ ସାକେତରେ ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସାଧୀନ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ସୋମବାର ଦିନ ତାଙ୍କୁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇ ପାରେ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।
ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ନିରୀକ୍ଷଣରେ ରଖାଯିବ। ଯଦି ପୁଣି ତାଙ୍କର ଶ୍ବାସପ୍ରଶ୍ବାସଜନିତ ଅସୁବିଧା ନ ହୁଏ କିଂବା ଜ୍ବର ନ ଆସେ, ତାଙ୍କୁ ସୋମବାର ଦିନ ଆଇସିୟୁରୁ ବାହାରକୁ ନିଆଯିବ।
ସ୍ବାସ୍ଥ୍ୟାବସ୍ଥା ସୁଧୁରିଲେ ମଧ୍ୟ ଜୈନ୍ଙ୍କୁ ଜୁନ୍ ୨୦ ତାରିଖ ଦିନ ଅମ୍ଳଜାନ ସହାୟତାରେ ରଖାଯାଇଛି। ୫୫ ବର୍ଷିୟ ମନ୍ତ୍ରୀ ସତ୍ୟେନ୍ଦ୍ରଙ୍କୁ ପ୍ଲାଜ୍ମା ଉପଚାର କରିବା ପରେ ତାଙ୍କ ଦେହରୁ ଜ୍ବର ଓହ୍ଲାଇ ଯାଇଛି ଓ ଅମ୍ଳଜାନ ସ୍ତରରେ ଉନ୍ନତି ଘଟିଛି। ଗୁରୁବାର ଦିନ ଜୈନଙ୍କୁ ସରକାରୀ ଡାକ୍ତରଖାନା ରାଜୀବ ଗାନ୍ଧୀ ସୁପର୍ ସ୍ପେସାଲିଟି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। କୋଭିଡ୍-୧୯ ଆକ୍ରାନ୍ତ ଜୈନଙ୍କୁ ନିମୋନିଆ ହୋଇଥିବା କଥା ସିଟି ସ୍କାନ୍ରୁ ଜଣାପଡ଼ିବା ପରେ ତାଙ୍କୁ ସାକେତସ୍ଥିତ ମ୍ୟାକ୍ସ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଏହାର କାରଣ ଗାନ୍ଧୀ ସୁପର୍ ସ୍ପେସାଲିଟି ହସ୍ପିଟାଲ୍କୁ ପ୍ଲାଜ୍ମା ଚିକିତ୍ସା ପାଇଁ ଅନୁମତି ମିଳି ନ ଥିଲା। ତାଙ୍କୁ ପ୍ଲାଜ୍ମା ଚିକିତ୍ସା ଦିଆଯାଉ ବୋଲି ତାଙ୍କ ପରିବାର ଲୋକେ ଦାବି କରୁଥିଲେ।