ଏଣିକି ରାଜଧାନୀର ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ମୋବାଇଲ ବ୍ୟାନ୍‌

0

ରାଜଧାନୀ ଦିଲ୍ଲୀରେ ଥିବା ସବୁ ସ୍କୁଲରେ ମୋବାଇଲ ଫୋନ୍‌ ବ୍ୟାନ୍‌ କରାଯାଇଛି । ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକରେ ମୋବାଇଲ୍‌ ଫୋନ୍‌ ବ୍ୟାନ୍‌ ନିମନ୍ତେ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆଡ୍‌ଭାଇଜରି ଜାରି କରାଯାଇଛି । ସେହିଭଳି ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କ ପାଇଁ ମଧ୍ୟ ନିୟମ ଆସିଛି ।

ସେମାନେ ଶ୍ରେଣୀଗୃହ, ଖେଳପଡ଼ିଆ, ଲାବୋରେଟୋରି ଏବଂ ପାଠାଗାର ଆଦି ସ୍ଥାନରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିପାରିବେ ନାହିଁ । ପିଲାମାନେ ଯେମିତି ନିଜ ସାଥିରେ ଫୋନ୍‌ ଆଣି ସ୍କୁଲକୁ ନ ଆସନ୍ତି, ତାହାକୁ ସୁନିଶ୍ଚିତ କରିବା ଲାଗି ଅଭିଭାବକମାନଙ୍କୁ କୁହାଯାଇଛି ।

ଶିକ୍ଷା ନିର୍ଦ୍ଦେଶାଳୟର ଶିକ୍ଷା ନିର୍ଦ୍ଦେଶକ ହିମାଂଶୁ ଗୁପ୍ତାଙ୍କ ଦ୍ୱାରା ଜାରି ଆଡ୍‌ଭାଇଜରିରେ କୁହାଯାଇଛି ଯେ ମୋବାଇଲ୍‌ ଫୋନ୍‌ର ବ୍ୟବହାର ଦ୍ୱାରା ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପଡ଼ିପାରେ । ଫୋନ୍‌କୁ ଅତ୍ୟଧିକ ଭାବେ ବ୍ୟବହାର କରିବା ଦ୍ୱାରା ଅବସାଦ, ଚିନ୍ତା, ସାମାଜିକ ଦୂରତ୍ୱ ବୃଦ୍ଧି ପାଉଛି । ଠିକ୍‌ ଭାବେ ନିଦ ମଧ୍ୟ ହେଉନାହିଁ । ଏହାଦ୍ୱାରା ପିଲାମାନଙ୍କ ପାଠପଢ଼ା ଉପରେ ଗୁରୁତର ପ୍ରଭାବ ପଡୁଛି । ଏମିତି କି ଏହାଦ୍ୱାରା ଉତ୍ପୀଡ଼ନ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଅନୁଚିତ ଫଟୋ ଉତ୍ତୋଳନ କରାଯାଇପାରେ । ଭିଡିଓ ରେକର୍ଡ ଓ ଅପ୍‌ଲୋଡ୍‌ କରାଯାଇପାରେ । ତେଣୁ ସ୍କୁଲ ପରିସରରେ ମୋବାଇଲ ଫୋନ୍‌ର ବ୍ୟବହାରକୁ ନିଶ୍ଚିତ ଭାବେ ନିୟନ୍ତ୍ରିତ କରିବାର ଆବଶ୍ୟକତା ରହିଛି । ସ୍କୁଲ ଶିକ୍ଷା ସହ ଜଡ଼ିତ ସମସ୍ତ ଅଂଶୀଦାର ଯଥା ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ସ୍କୁଲ ପ୍ରମୁଖମାନଙ୍କୁ ସ୍କୁଲରେ ମୋବାଇଲ୍‌ ଫୋନ୍‌ର ନ୍ୟୂନତମ ଉପଯୋଗ ଉପରେ ସହମତି ବନାଇବା ଆବଶ୍ୟକ । ଏହାଦ୍ୱାରା ସ୍କୁଲ ମଧ୍ୟରେ ଉନ୍ନତ ବାତାବରଣ ସୃଷ୍ଟି ହୋଇପାରିବ ।

 

ଆହୁରି କୁହାଯାଇଛି ଯେ ଯଦି ପିଲାମାନେ ସ୍କୁଲକୁ ମୋବାଇଲ ଫୋନ୍‌ ନେଇ ଆସନ୍ତି, ତେବେ ତାହାକୁ ସ୍କୁଲ ଅଧିକାରୀଙ୍କ ପାଖରେ ଜମା କରିବାର ବ୍ୟବସ୍ଥା ହେବା ଆବଶ୍ୟକ । ସ୍କୁଲ ଛୁଟି ବେଳେ ତାହାକୁ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଫେରାଯିବ । ଶ୍ରେଣୀଗୃହରେ ମୋବାଇଲ ଫୋନ୍‌ ବ୍ୟବହାର ଉପରେ କଠୋର କଟକଣା ଲଗାଇବାକୁ କୁହାଯାଇଛି । ସ୍କୁଲଗୁଡ଼ିକୁ କୁହାଯାଇଛି ଯେ ପିତାମାତାଙ୍କୁ ସ୍କୁଲ ତରଫରୁ ହେଲ୍‌ପଲାଇନ୍‌ ନମ୍ବର ଦିଆଯାଇ ପାରିବ, ଯାହାଦ୍ୱାରା ଜରୁରିକାଳୀନ ସ୍ଥିତିରେ ଛାତ୍ରଛାତ୍ରୀମାନେ ପିତାମାତାଙ୍କ ସହ କଥା ହୋଇପାରିବେ । ଏହି ସମ୍ବନ୍ଧୀୟ ସୂଚନା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଖରେ ପହଞ୍ଚାଇବାକୁ ଜରୁରି ପଦକ୍ଷେପ ନେବା ଲାଗି ଆଡ୍‌ଭାଇଜରିରେ କୁହାଯାଇଛି।

Leave a comment