ଦିଲ୍ଲୀ ଗସ୍ତରେ ଆସି ୩କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟଲେ ସୁରେଶ ରାଉତରାୟ, ଉପସ୍ଥାପନ କଲେ ବିଭିନ୍ନ ଦାବି

0

ନୂଆଦିଲ୍ଲୀ, ୨୩/୦୯: ଶିକ୍ଷା, ରେଳ ଏବଂ ଆଦିବାସୀମାନଙ୍କର ବିଭିନ୍ନ ଦାବି ନେଇ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଆଦିବାସୀ କଲ୍ୟାଣ ରାଜ୍ୟ ମନ୍ତ୍ରୀ ବିଶେଶ୍ୱର୍ ଟୁଡୁଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଦାବି ଉପସ୍ଥାପନ କରିଥିଲେ । ବିଜେବି କଲେଜକୁ କେନ୍ଦ୍ରୀୟ ବିଶ୍ୱବଦ୍ୟାଳୟ ମାନ୍ୟତା ଦିଆଯାଉ ବୋଲି ଧର୍ମେନ୍ଦ୍ରଙ୍କୁ ସେ ଚିଠି ଦେଇଛନ୍ତି। ଏହା ସହ ଜଟଣୀ, କନ୍ତିଆ, ଚନ୍ଦକା, ଛତାବର, ଆରୁଗୁଲ ଏବଂ କେରଙ୍ଗ ମହାବିଦ୍ୟାଳୟର ବିକାଶ ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଦିଅନ୍ତୁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଦାବି ଜଣାଇଛନ୍ତି।

ପାଖାପାଖି ୩୦ ମାସ ହେଲାଣି ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ପୂର୍ବ ତଟ ରେଳପଥ, ବିଡ଼ିଏ ଏବଂ ସ୍ମାର୍ଟ ସିଟି ଭିତରେ ବୁଝାମଣା ହୋଇଥିଲା।। କିନ୍ତୁ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ବୁଝାମଣାରୁ ଓହରି ଯିବେ ବୋଲି କହିଛନ୍ତି। ତେଣୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ହସ୍ତକ୍ଷେପ କରି ମାମଲାର ସମାଧାନ କରିବାକୁ ଅନୁରୋଧ କରିବା ସହ ସେ ମେମୋରାଣ୍ଡମ ପ୍ରଦାନ କରିଛନ୍ତି।

ଅନ୍ୟପଟେ ଦୁଇଟି ନୂଆ ଟ୍ରେନ ଲିଙ୍ଗରାଜ ଏକ୍ସପ୍ରେସ ନାମରେ ଭୁବନେଶ୍ୱରରୁ ଜଟଣୀ ଦେଇ ମୁମ୍ବାଇ ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଚଳାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ସହ ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି। ଆସନ୍ତା ଏପ୍ରିଲ ୧ ରେ ଜଟଣୀ ରେଳବାଇ ଫ୍ଲାଇଓଭରର ଉଦଘାଟନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ଉତ୍ସବରେ ବିଧାୟକ ଅପରାଜିତା ଷଡ଼ଙ୍ଗୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ। ତେବେ ୩ କେନ୍ଦ୍ର ମନ୍ତ୍ରୀ ଏ ସମ୍ପର୍କରେ ପଦକ୍ଷେପ ଯଥା ଶୀଘ୍ର ନେବେ ବୋଲି ଜଣାଇଛନ୍ତି ।

Leave a comment