ଘୁଞ୍ଚି ଘୁଞ୍ଚି ଯାଉଛି ବିଜେଡିର ଛାତ୍ର, ଯୁବ ଓ ମହିଳା ସଭାପତି ଚୟନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଝୁଲିଲା ବିଜେଡିର ଛାତ୍ର, ଯୁବ ଓ ମହିଳା ସଭାପତି ଚୟନ ପ୍ରକ୍ରିୟା । ବର୍ତ୍ତମାନ ଏହି ଚୟନ ପ୍ରକ୍ରିୟାକୁ ବିଜେପୁର ଉପନିର୍ବାଚନ ପର୍ଯ୍ୟନ୍ତ ଟାଳି ଦିଆଯାଇଥିବା ସୂଚନା ମିଳିଛି । ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନ ହେବାକୁ ଥିବାରୁ ବିଜେଡି ସୁପ୍ରିମୋ କୌଣସି ପ୍ରକାର ଅନ୍ତଃକନ୍ଦଳ ଦଳରେ ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି ।
ସୂଚନା ଅନୁଯାୟୀ, କିଛିଦିନ ତଳେ ବିଜେଡି ଯୁବ, ଛାତ୍ର ଏବଂ ମହିଳା ସଭାପତି ଚୟନ ଚର୍ଚ୍ଚା ଜୋର ଧରିଥିଲା ହେଲେ ତାହାକୁ ବିଭିନ୍ନ ଆଳ ଦେଖାଇ ଟାଳି ଦିଆଯାଉଥିଲା । ସବୁ ପଦପାଇଁ ଏକାଧିକ ଆଶାୟୀ ରହୁଥିଲେ । ବିଜେଡିର ଶୀର୍ଷ ନେତୃତ୍ୱ କାହାକୁ ମନା କରିବାକୁ ଚାହୁଁନଥିଲେ । ନିକଟରେ ବିଜେଡିର ଯୁବ ସଭାପତି ନାମ ଘୋଷଣା ନେଇ ଜୋର ଚର୍ଚ୍ଚା ଚାଲିଥିବା ବେଳେ ବିଲେଇ କପାଳକୁ ସିକା ଛିଣ୍ଡିଲା ପରି ବିଜେପୁର ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।ଏବଂ ଏହାକୁ ଆଳକରି କୌଣସି ଗୋଷ୍ଠିକୁ ଅସନ୍ତୁଷ୍ଟ ନକରି ଯୁବ ସଭାପତି ଚୟନ ସହ ଛାତ୍ର ଓ ମହିଳା ସଭାପତି ଚୟନକୁ ଆଗକୁ ଗଡ଼ାଇ ଦିଆଯାଇଛି ।
କୁହାଯାଇଛି ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡିବ । ସବୁ ଗୋଷ୍ଠିଙ୍କୁ ଦାୟିତ୍ୱ ଦିଆଯାଇ ବିଜେପୁରରେ କାମ ଶେଷ କରାଯିବ । ତେଣୁ ବିଜେପୁରରେ କାହାର କାର୍ଯ୍ୟ କିପରି ରହୁଛି ତାହା ପରବର୍ତ୍ତୀ ଯୁବ ସଭାପତି ଚୟନ ସହାୟକ ହେବ । ଶେଷ ଖବର ସୁଦ୍ଧା ଚନ୍ଦ୍ର ସାରଥୀ ବେହେରା, ପ୍ରଣବ ବଲବନ୍ତ ରାୟଙ୍କ ନାଁ ଯୁବ ପାଇଁ ଓ ମହିଳାରେ ଲତିକା ପ୍ରଧାନଙ୍କ ନାଁ ସର୍ବାଧିକ ଚର୍ଚ୍ଚାରେ ରହିଥିବା ବେଳେ ଛାତ୍ର ସଭାପତି ପାଇଁ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନାମ ଚର୍ଚ୍ଚାରେ ରହିଛି ।