ପାଇଖାନା ଟାଙ୍କି ନେଲା ୫ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହିପରି ଦୁଃଖଦ ଘଟଣା ରାୟଗଡ଼ା ଜିଲ୍ଲାର ବିଷମକଟକ ଠାରେ ଘଟିଯାଇଛି । ଏହିଘଟଣାରେ ମୁଖ୍ୟମନ୍ତ୍ରୀ ଦୁଖପ୍ରକାଶ କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ବିଷମକଟକ ଥାନା ଅନ୍ତର୍ଗତ ଦୁର୍ଗୀ ଗାଁର ଏମ୍‌. ସତ୍ୟନାରାୟଣଙ୍କ ନବନିର୍ମିତ ଘରର ପାଇଖାନା ଟାଙ୍କି ନିର୍ମାଣ ହୋଇଥିଲା । ଆଜି ତାଙ୍କ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲାଯାଉ ଥିଲା । ମିସ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଟାକ୍ରୀ ଓ ଦୁଇ ଜଣ ଶ୍ରମିକ ରଶ୍ମିତା ଓ ବୈରାଗୀ କଲକା ଏହି କାମ କରୁଥିଲେ । କାମ ଚାଲୁଥିବା ବେଳେ ରଶ୍ମିତା ପ୍ରଥମେ ଟାଙ୍କି ଭିତରକୁ ଯାଇ ଥିଲେ । ମାତ୍ର ସେ ବାହାରକୁ ନଆସିବାରୁ ବୈରାଗୀ ପାଇଖାନା ଭିତରକୁ ଯାଇଥିଲେ । ହେଲେ ସେ ମଧ୍ୟ ବାହାରକୁ ଆସିନଥିଲେ ।

ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନେ ବାହାରକୁ ନ ଆସିବାରୁ ମିସ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଟାଙ୍କି ନିଜେ ଭିତରକୁ ଯାଇଥିଲେ । ପୂର୍ଣ୍ଣଚନ୍ଦ୍ର ପାଇଖାନା ଟାଙ୍କି ଭିତରକୁ ଯିବାପରେ ଚିତ୍କାର କରିଥିଲେ । ଚିତ୍କାର ଶୁଣି ପାଖ ପଡ଼ିଆରେ ଖେଳୁଥିବା ତିନିଜଣ ପିଲା ଜଣକ ପରେ ଜଣେ ପାଇଖାନା ଟାଙ୍କି ଭିତରକୁ ଯାଇ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଏହା ସମ୍ଭବ ହୋଇନଥିଲା । ସେମାନେ ନିଜେ ମଧ୍ୟ ବାହାରକୁ ଆସିପାରିନଥିଲେ । ଟାଙ୍କି ଭିତରେ ସେମାନେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ଚେତା ହରାଇ ପଡ଼ିଥିଲେ । ଗାଁ ଲୋକେ ଏକ ଜେସିବି ମେଶିନ୍‌ ସାହାଯ୍ୟରେ ପାଇଖାନା ଟାଙ୍କିକୁ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ସେପର୍ଯ୍ୟନ୍ତ ବହୁତ ଡେରି ହୋଇଯାଇଥିଲା । ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଏବେ ମଧ୍ୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Leave a comment