ମୋବାଇଲ ନେଲା ଜୀବନ, ଜୀବନ୍ତ ଜଳିଗଲେ ଯୁବକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋବାଇଲ ପାଖରେ ରଖି ଶୋଇଥିଲେ । ଫାଟିଗଲା ମୋବାଇଲ । ଜୀବନ୍ତ ଜଳିଗଲେ ନୟଗାଡ଼ ଜିଲ୍ଲା ଅନ୍ତର୍ଗତ ଲେମ୍ବାଗୁଡ଼ା ଗ୍ରାମର ୩୭ ବର୍ଷିୟ କୁନା ପ୍ରଧାନ । ଏଭଳି ଏକ ଦୁଃଖଦ ଘଟଣା ପାରାଦୀପ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଘଟିଛି ।
ସୂଚନା ଅନୁଯାୟୀ, ନୟଗାଡ଼ ଜିଲ୍ଲା ଅନ୍ତର୍ଗତ ଲେମ୍ବାଗୁଡ଼ା ଗ୍ରାମର କୁନା ପ୍ରଧାନ(୩୭) ଗତକାଲି ରାତିରେ ପାରାଦୀପ ଜଗନ୍ନାଥ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଶୋଇଥିବାବେଳେ ମୋବାଇଲ ନିଜ ପାଖରେ ରଖି ଶୋଇଥିଲେ । କୌଣସି କାରଣ ବଶତଃ ମୋବାଇଲଟି ଫାଟିଯାଇଥିଲା ଫଳରେ କୁନାଙ୍କର ମୁହଁ ସମେତ ଦେହର ଉପରିଭାଗ ପୋଡ଼ି କ୍ଷତବିକ୍ଷତ ହୋଇଯାଇଥିଲା । ଏହି ଘଟଣା ଗତକାଲି ରାତି ପ୍ରାୟ ୧.୩୦ରେ ଘଟିଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି କୋଠରିରେ ଶୋଇଥିବା ଅନ୍ୟମାନେ ଚମକି ଉଠିପଡ଼ିଥିଲେ । ଚିକିତ୍ସା ପାଇଁ କୁନାଙ୍କୁ ଟ୍ରକ୍ ଆସୋସିଏସନ୍ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆଲ୍ ହସ୍ପିଟାଲକୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଏକ ମନ୍ଦିରରେ ଶ୍ରମିକ ଭାବେ କାମ କରିବା ପାଇଁ ନୟାଗଡରୁ ଆସି ପାରାଦୀପରେ ରହୁଥିଲେ ।