ବେଲୁନ ପାଇଁ ଚାଲିଗଲା ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲିଙ୍ଗରାଜ ରୋଡ଼ ରେଲୱେ ଓଭରବ୍ରିଜ ଉଦଘାଟିତ ହେବା କିଛିସମୟ ପରେ ଏହି ବ୍ରିଜ ଉପରେ ଏକ ଅଘଟଣ ଘଟିଯାଇଛି । ଏହି ଅଘଟଣରେ ଜଣେ ଯୁବକର ମୃତ୍ୟୁ ଘଟିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଓଭରବ୍ରିଜ ର ଉଦଘାଟନ ହେବାକୁ ଥିବାରୁ ବ୍ରିଜକୁ ଲାଇଟ, ଫୁଲ ଓ ବେଲୁନରେ ସୁସଜ୍ଜିତ କରାଯାଇଥିଲା । ଓଭରବ୍ରିଜର ଉଦଘାଟନ ପରେ ସେଠାରେ ଲାଗିଥିବ ବେଲୁନକୁ ଛିଣ୍ଡାଇବାକୁ ଯାଇ ସୀମାଞ୍ଚଳ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଅଞ୍ଚଳର ଏହି ବ୍ୟକ୍ତିର ବୟସ ପାଖାପାଖି ୩୫ ବର୍ଷହେବ । ସୀମାଞ୍ଚଳ ନିଜ ଛୁଆଙ୍କ ପାଇଁ ବେଲୁନ୍ ଛିଣ୍ଡାଉଥିବା ସମୟରେ ସେଠାରେ ସଜାଯାଇଥିବା ଲିଚୁ ଲାଇଟ ରେ ତାଙ୍କ ହାତ ବାଜିଯିବାରୁ ବିଦ୍ୟୁତ ଆଘାତ ଲାଗିଥିଲା । ବିଦ୍ୟୁତ ଆଘାତ ଯୋଗୁ ସେ ସେଠାରେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସୀମାଞ୍ଚଳଙ୍କୁ ମୃତ ଘୋଷଣା କରିଥିଲେ ।