ଏସିପି ନେଉଛନ୍ତି, ତୁମେ ନିଅ, ବାର ଖୋଲିବାକୁ ଅନୁମତି ଦିଅ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): “ଏସିପି ନେଉଛନ୍ତି, ତୁମେ ନିଅ, ଡେରି ରାତି ପର୍ଯ୍ୟନ୍ତ ବାର ଖୋଲିବାକୁ ଅନୁମତି ଦିଅ” । ଏଭଳି ଏକ ଅଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯାହାକୁ ନେଇ ରାଜଧାନୀର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ପୋଲିସକୁ ତୀବ୍ର ନିନ୍ଦା କରିବା ସହ ରାଜଧାନୀରେ ପୋଲିସ ଅପରାଧୀଙ୍କୁ ଦମନ କରିବାରେ ବିଫଳ ଥିବା ବେଳେ ବାର ମାଲିକଙ୍କ ଠାରୁ ମାସିକିଆ ବଟି ନେଇ ନିଜ ପକେଟ ଗରମ କରୁଥିବା ଅଭିଯୋଗ କରୁଛନ୍ତି । ପୋଲିସଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟି ନଯାଉ, ଏହାକୁ ଦୃଷ୍ଟି ରେ ରଖି ଆମ ପାଖରେ ଥିବା ଅଡ଼ିଓଟିକୁ ପରିବେଷଣ କରିନାହୁଁ ।

ସୂଚନା ଅନୁଯାୟୀ, ପୋଲିସ ଏବଂ ଜଣେ ସାମ୍ବାଦିକଙ୍କ ବାର୍ତାଳାପର ଏକ ଅଡ଼ିଓ ଟେପ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଉକ୍ତ ଅଡ଼ିଓରେ ଜଣେ ସାମ୍ବାଦିକ କଟକ ରୋଡ଼ ସ୍ଥିତ ଏକ ନିର୍ଦ୍ଦିଷ୍ଟ ବାରକୁ ଡେରି ରାତି ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦେବାକୁ କହୁଥିବା ଶୁଣିବାକୁ ମିଳୁଛି । ଏହି ଅନୁମତି ବଦଳରେ ତାଙ୍କୁ ମାସିକିଆ ବଟି ସହ ଅଧିକ ଅର୍ଥ ଦିଆଯିବାକୁ କହିଥିବା ସ୍ପଷ୍ଟ ଭାବେ କହିଛନ୍ତି । ଏପରିକି ସାମ୍ବାଦିକ ଜଣକ ବାର ମାଲିକ ଏବଂ ପୋଲିସ ମଧ୍ୟରେ ଦନ୍ଧୁତ୍ୱ କରିବାକୁ ଦଲାଲର କାମ କରୁଥିବା ନଜର ଆସୁଛି । ଏହି ଅଡ଼ିଓରେ ସାମ୍ବାଦିକ ସ୍ପଷ୍ଟ ଭାବରେ କହୁଛନ୍ତି, ଏସିପି ନେଉଛନ୍ତି, ପୂର୍ବରୁ ଥିବା ଆଇଆଇସି ନେଉଥିଲେ ଆପଣ ନିଅନ୍ତୁ ପର୍ମିଶନ ଦିଅନ୍ତୁ । ରାଜଧାନୀର କିଛି ମୁଷ୍ଟିମେୟ କ୍ରାଇମ ନିଉଜ଼ କରିଥବା ସାମ୍ବାଦିକ ପୋଲିସ ଏବଂ ବାର ମାଲିକଙ୍କ ମଧ୍ୟରେ ସେତୁ ପରି କାର୍ଯ୍ୟ କରୁଛନ୍ତି । ଯେତେବେଳେ କି ସମଗ୍ର ଭୁବନେଶ୍ୱରରେ ଚୋରି, ଡକାୟତି, ବ୍ରାଉନସୁଗର ପରି ଅନ୍ୟାନ୍ୟ ଅପରାଧ ବେକାବୁ ହେବାରେ ଲାଗିଛି, ଠିକ ସେତିକି ବେଳେ ପୋଲିସ ନିଜ କର୍ତ୍ତବ୍ୟ ଛାଡ଼ି ପକେଟ ଗରମ କରିବାରେ ଲାଗିଛି । ଯେତେ ପୋଲିସ ବଦଳିଲେ ମଧ୍ୟ ଅବସ୍ଥାରେ “ଯଥା ପୂର୍ବମ ତଥା ପରମ” । କେବଳ ସିଟରୁ ପୋଲିସ ପରିବର୍ତ୍ତନ ହେଉଛନ୍ତି । ଦଲାଲ ନିଜ ସମ୍ପର୍କ ସିପି, ଡିସିପିଙ୍କ ସହ ଥିବା ଏବଂ ଭଲ ସ୍ଥାନକୁ ତାଙ୍କୁ ବଦଳି କରାଇଦେବା ଲୋଭ ଦେଖାଇ ନିଜ ଇସାରାରେ ନାଚଉଛନ୍ତି । ତେବେ କମିଶନର ଏବଂ ଡିସିପି ମୋହଦୟ ଏହି ଘଟଣା ସାମ୍ନାକୁ ଆସିବା ପରେ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକିରହିଲା । ଏହିପରି କିଛି ଦଲାଲଙ୍କ ପାଇଁ ସାମ୍ବାଦିକ ମହଲ ଆଜି ନିଜ ଗରିମା ହରାଉଛି । ସୂଚନା ଅନୁସାରେ ପୂର୍ବରୁ ମଧ୍ୟ କଟକ ରୋଡ଼ ସ୍ଥିତ ଉକ୍ତ ବାର ମାଲିକଙ୍କୁ ଲକ୍ଷ୍ମୀସାଗର ପୋଲିସ ଗିରଫ କରିଥିଲା ମାତ୍ର ସାମ୍ବାଦିକ ବାବୁଙ୍କ ମଧ୍ୟସ୍ଥି ଫଳରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା ।

Leave a comment