ଫେରି ଆସିଲା ମୃତ ଯୁବକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯ ମାସ ତଳେ ଜଣେ ଯୁବକ କୁ ମୃତ ଘୋଷଣା କରିଥିଲା ପୋଲିସ। ତାକୁ ହତ୍ୟା କରାଯାଇଥିବା ଅଭିଯୋଗରେ ଦୁଇଜଣ ଙ୍କୁ ଗିରଫ ମଧ୍ୟ କରିଥିଲା। ମାତ୍ର ଉକ୍ତ ମୃତ ଯୁବକ ଦୀର୍ଘ ୧୯ ମାସ ପରେ ଘରକୁ ଫେରିଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ପାଇକମାଳ ଥାନା ଅନ୍ତର୍ଗତ ପିପିଲିପାଲି ଗାଁ ରେ।
ସୁଚନା ଅନୁଯାୟୀ, ୨୦୧୬ ମସିହା ଡିସେମ୍ୱର ମାସରେ ପାଇକମାଳ ଥାନା ପିପିଲିପାଲି ଗାଁର ମନୋରଞ୍ଜନ ଦଂଶନାଙ୍କ ୧୮ ବର୍ଷର ପୁଅ ଜିତୁ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ବରଗଡ଼ ଡାକ୍ତରଖାନା କୁ ଯାଇଥିଲେ। ମାତ୍ର ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ତାଙ୍କୁ ବହୁତ ଖୋଜିବା ପରେ ନିରାଶ ହୋଇ ପାଇକମାଳ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ବରଗଡ଼ ସହର ବିଶିପଡ଼ାର ରାଘବ ନାୟକ ଓ ହଲୁ ଗୁଲ୍ଲା ନାମକ ଦୁଇ ଜଣ ଯୁବକଙ୍କୁ ପୋଲିସ ସନ୍ଦେହରେ ଆଣି ଜେରା କରିଥିଲା। ଜେରା ସମୟରେ ପୁଲିସ ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲା। ଅସହ୍ୟ ମାଡ଼ ରୁ ନିଜକୁ ରକ୍ଷା କରିବାକୁ ଯାଇ ସେମାନେ ମିଛରେ ଜିତୁକୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏବଂ ହତ୍ୟା କରି ଜିରା ନଦୀରେ ପୋତି ଦେଇଥିବା ପୁଲିସକୁ କହିଥିଲେ। ସେମାନଙ୍କ ବୟାନ୍କୁ ଆଧାର କରି ପୁଲିସ ନଦୀପଠା ଖୋଳି ଥିଲେ ମଧ୍ୟ ମୃତଦେହ ପାଇନଥିଲା। ଏହା ପରେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ଷେ ଜେଲ ଦଣ୍ଡ ଭୋଗିବା ପରେ ଏବେ ସେମାନେ ବେଲ ରେ ବାହାରିଛନ୍ତି।
ମାତ୍ର ୪ ଦିନ ତଳେ ଜିତୁ ଙ୍କ ପରିବାର ଲୋକେ ଜାଣିବାକୁ ପାଇଲେ ଯେ ସେ କଲିକତା ରେ ଅଛନ୍ତି। ଏ ଖବର ଶୁଣି ପରିବାର ଲୋକଙ୍କ ଖୁସିର ସୀମା ରହିଲାନାହିଁ। ସେମାନେ ତୁରନ୍ତ କଲିକତା ଯାଇ ଜିତୁକୁ ଘରକୁ ନେଇଆସିଲେ। ଅନ୍ୟ ପକ୍ଷରେ ହତ୍ୟା ନକରି ହତ୍ୟା ଅଭିଯୋଗରେ ଜେଲ ଦଣ୍ଡ ଭୋଗିଥିବା ରାଘବ ନାୟକ ଓ ହଲୁ ଗୁଲ୍ଲା ନାମକ ଙ୍କ ପରିବାର ଅବସ୍ଥା କିନ୍ତୁ ଖୁବ ଶୋଚନୀୟ। କାରଣ ରାଘବ ଓ ହଲୁ କୁ ଲୋକେ ହତ୍ୟାକାରୀ ଭାବି କିଛି କାମଧନ୍ଦା ଦେଉନାହାନ୍ତି।
ଏତେ ଦିନହେଲା ସେ କେଉଁଠିଥିଲେ ବୋଲି ପୋଲିସ ପଚାରିବାରୁ ଜିତୁ କହିଛନ୍ତି ସେ “ବରଗଡ଼କୁ ଆସିଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ତାଙ୍କ ମୋବାଇଲ ଓ ସମସ୍ତ ଟଙ୍କା ଲୁଟି ନେଇଥିଲେ। ନିଶାରେ ସେ ଟ୍ରେନ୍ରେ କଲିକତା ଚାଲି ଯାଇଥିଲେ।”
ଏହି ଘଟଣାର କ୍ରାଇମବ୍ରାଞ୍ଚ ଏଡିଜି ଓ ବରଗଡ଼ ଜିଲ୍ଲାପାଳଙ୍କୁ ଓଏଚଆରସି ନୋଟିସ କରିଛନ୍ତି। ୬ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଏଡ଼ିଜି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଉକ୍ତ ଯୁବକଙ୍କ ମାନସିକ ଚିକିତ୍ସା କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତ ଯୁବକ ଓ ଦାୟତ୍ୱହୀନ ପୁଲିସ କୁ ଗିରଫ ୨ ଯୁବକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି।
ପାଇକମାଳ ଥାନା ଆଇଆଇସି ବିଶ୍ୱଜିତ ମନବୋଧ କହିଛନ୍ତି-“ଜିତୁଙ୍କ ମୋବାଇଲ୍ ଆଧାରରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଜିତୁ ଘରକୁ ଫେରିଆସିଥିବାରୁ ତାଙ୍କ ଉପରୁ ହତ୍ୟା ମାମଲା ଉଠାଇ ଦିଆଯିବ” । ପୋଲିସ କିପରି ତଦନ୍ତ କରି ଦୁଇଜଣ ନିର୍ଦୋଷ ଙ୍କୁ ଦୋଷୀ ସବ୍ୟସ୍ତକଲା ଏ ଘଟଣାକୁ ନେଇ ପୋଲିସ ର ତଦନ୍ତ ଉପରେ ଗାଁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।