ରାଜଧାନୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମହିଳା ଆଇନଜୀବୀଙ୍କ ମୃତଦେହ, ସନ୍ଦେହ ଘେରରେ ପୁରୁଷ ବନ୍ଧୁ
ଓଡିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଉଦ୍ଧାର ହେଲା ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ । ମୃତକ ହେଲେ ଭଦ୍ରକ ଜିଲ୍ଲାର ଦୀପାଳି ପ୍ରିୟଦର୍ଶନୀ ଜେନା । ଭୁବନେଶ୍ୱର ଲିଙ୍ଗିପୁରରେ ଏକ ଭଡ଼ା ଘରେ ରହୁଥିଲେ ଦୀପାଳି । ଭଡାଘରୁ ଶନିବାର ରାତିରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ଦୀପାଳିଙ୍କ ପୁରୁଷ ବନ୍ଧୁ ଉପରେ ସନ୍ଦେହ ଘନୀଭୂତ ହେଉଛି । ଦୀପାଳି ଆତ୍ମହତ୍ୟା କରିଛନ୍ତି ନ ତାଙ୍କର ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ଏହାକୁ ନେଇ ଅଧିକ ତଦନ୍ତ ଚଳାଇଛି ଧଉଳି ପୋଲିସ ।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଦୀପାଳିଙ୍କ ଭଉଣୀ ବାହାରକୁ ଯାଇଥିବା ବେଳେ ଦୀପାଳିଙ୍କ ପୁରୁଷ ବନ୍ଧୁ ଲିଙ୍ଗିପୁର ଭଡାଘରକୁ ଆସିଥିଲେ । ଏହାପରେ ରାତିରେ ଦୀପାଳିଙ୍କ ପୁରୁଷ ବନ୍ଧୁ ଦୀପାଳିଙ୍କ ସାନ ଭଉଣୀଙ୍କୁ ଫୋନ କରି କହିଥିଲେ, “ତୁମ ଭଉଣୀ ରୁମ ଭିତର ପଟୁ କବାଟ ଦେଇଛନ୍ତି ଡାକିଲେ ବି ଖୋଲୁନାହାନ୍ତି” । ଏହି ଖବର ପାଇ ସାନ ଭଉଣୀଙ୍କ ସହ ଦୀପାଳିଙ୍କ ପରିବାର ଲୋକେ ଆସି ଲିଙ୍ଗିପୁରରେ ପହଞ୍ଚିଥିଲେ । ସେନନେ ଘର ମଧ୍ୟରୁ ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ । ଧଉଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୀପାଳିଙ୍କ ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲେ । ଧଉଳି ପୋଲିସ ଦୀପାଳିଙ୍କ ପୁରୁଷ ବନ୍ଧୁଙ୍କୁ ଖୋଜୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରିନାହିଁ ।