ହାଇସ୍କୁଲ ଷ୍ଟାଡିୟମ ତଳୁ ମୃତଦେହ ଉଦ୍ଧାର, ଗୋବିନ୍ଦଙ୍କ ସମ୍ୱନ୍ଧରେ ସୂଚନା ଦେଲେ ପୋଲିସ ଦେବ ପୁରସ୍କାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋଳାଗଲା କଳାହାଣ୍ଡି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ ଏକ ନିର୍ଦ୍ଦଷ୍ଟ ସ୍ଥାନ । ସେଠାରୁ ଉଦ୍ଧାର ହୋଇଛି ଏକ ମୃତ ଦେହ । ମୃତଦେହଟି ପଚି ସଢି ଯାଇଥିବା ବେଳେ ସେ ଶବଟି ମମିତା ମେହେରଙ୍କର ନା ଆଉ କାହାର ତାହାକୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ମୃତକଙ୍କ ପରିବାର ଲୋକଙ୍କୁ ଶବ ଚିହ୍ନଟ ପାଇଁ ଡକାଯାଇଛି । ଶବଟି ଅଧା ପୋଡି ଯାଇଥିବାରୁ ଏହାକୁ ଚିହ୍ନଟ କରିବା ସମ୍ଭବପର ହେବ ନାହିଁ । ତେବେ ଶବର ଡିଏନଏ ଟେଷ୍ଟ କରାଯିବ ବୋଲି ପୋଲିସ କହିଛି । ତେବେ ପାରିପାଶ୍ୱିର୍କ ସ୍ଥିତିରୁ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରି ସେଠାରେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜକୁ ନେଇ ପୋଲିସକୁ ବଡ ସୁରାକ ମିଳିଥିଲା । ଯାହାକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ସେହିପରି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନସାଇନ ପବ୍ଲିକ୍ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ପୁଲିସ ୪ ଦିନ ଅଟକ ରଖିଥିବା ବେଳେ ଦୁଇଦିନ ତଳେ ଟିଟିଲାଗଡ଼ ପୁଲିସ ହେପାଜତରୁ ସେ ଚମ୍ପଟ ମାରିଥିଲେ । ତାଙ୍କୁ ଟିଟିଲାଗଡ ପୁଲିସ ବ୍ୟାରେକରେ ରଖାଯାଇଥିବା ସମୟରେ ସେ ହାତ ଧୋଇବାକୁ ଯିବା ବାହାନାରେ ଖସି ପଳାଇଥିଲା । ପୁଲିସ୍ ବ୍ୟାରେକରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣା ସହଜେ ବିଶ୍ୱାସ ହେଉ ନ ଥିବା ବେଳେ କର୍ତବ୍ୟରେ ଅବହେଳା ପାଇଁ ୩ ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏଥିସହିତ ପୋଲିସ ଗୋବିନ୍ଦଙ୍କ କାରକୁ ଜବତ କରିଛି । ଏହି କାରରେ ଗୋବିନ୍ଦ ମମିତାଙ୍କୁ ନେବା ଆଣିବା କରୁଥିବା କୁହାଯାଉଛି ।
ସୂଚନା ଅନୁଯାୟୀ, ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରିବା ପାଇଁ ପୁଲିସ୍ ଯୋଜନା କରିଥିଲା । ହେଲେ ଏହା ପୂର୍ବରୁ ସେ ପୁଲିସ ଆଖିରେ ଧୁଳି ଦେଇ ଚମ୍ପଟ ମାରିବାରେ ସକ୍ଷମ ହେଲେ । ତେଣୁ ଗୋବିନ୍ଦ ସାହୁ ଫେରାର ହୋଇଯାଇଛନ୍ତି ନା ତାଙ୍କୁ ଫେରାର କରି ଦିଆଯାଇଛି, ସେ ନେଇ ପ୍ରଶ୍ନ ଉଠିଛି । ଗୋବିନ୍ଦ ସାହୁ ଫେରାର ହେବା ପରେ ତାଙ୍କୁ ଧରିବାକୁ କଳାହାଣ୍ଡି, ବଲାଙ୍ଗିର ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢାଉ କରାଯାଉଛି ।
ଅପରପକ୍ଷରେ ଗୋବିନ୍ଦ ସାହୁଙ୍କ ସମ୍ପର୍କରେ ସୂଚନା ପାଇବା ଲାଗି ପୋଲିସ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି । ଗୋବିନ୍ଦ ସାହୁଙ୍କୁ ପୋଲିସ ମୋଷ୍ଟୱାଂଟେଡ ଦର୍ଶାଇବା ସହ ତାଙ୍କ ସମ୍ପର୍କରେ ସୂଚନ ଦେଲେ ୨୦ ଟଙ୍କା ପୁରସ୍କାର ମିଳିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।
୧୨ଦିନ ତଳେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନସାଇନ ପବ୍ଲିକ୍ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ହୋଇଯାଇଥିଲେ । ଏହି ଘଟଣାର ତଦନ୍ତ କରୁଥିବା ବେଳେ ସନସାଇନ ପବ୍ଲିକ୍ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା କରୁଥିଲା । ହେଲେ ସେ ପୋଲିସକୁ ଚକମା ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ପୋଲିସ ତାଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ତଦନ୍ତ କରି ସ୍କୁଲ ପରିସରରେ ନିର୍ମାଣଧିନ ଷ୍ଟାଡିୟମରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର କରିଛି । ଷ୍ଟାଡିୟମରେ ପୋତା ଯାଇଥିବା ଶବ ଉଦ୍ଧାର ହେବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି । ହତ୍ୟାକାଣ୍ଡରେ ଗୋବିନ୍ଦଙ୍କ ସଂପୃକ୍ତି ନେଇ ପୋଲିସର ସନ୍ଦେହ ଦୃଢୀଭୂତ ହେବା ପରେ ତାଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ଫଳରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ପୁରସ୍କାର ଘୋଷଣା କରିଛି ।
ଅନ୍ୟପକ୍ଷରେ ଷ୍ଟାଡିୟମରୁ ଶବ ମିଳିବା ପରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ଏଥିସହିତ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ବିଜେପି ମଧ୍ୟ ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।