କନଷ୍ଟେବଲଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମହିଳାଙ୍କ ମୃତଦେହ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବନହରପାଲି ଥାନାରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ବିରୋଧରେ ନିଯ୍ୟାତନା ଅଭିଯୋଗ ଆଣିଥିବା ମହିଳାଙ୍କ ମୃତଦେହ ବେହେରାମାଲର ଏକ ଭଡାଘରୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ହେଲେ ସମ୍ବଲପୁର ମହୁଲପାଲି ଅଞ୍ଚଳର ଜନନୀ ମାଝୀ। ସେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ ନର୍ସ ଭାବରେ କାର୍ଯ୍ୟ କରୁଥିବା ଜଣା ପଡିଛି। ଜନନୀ ଗତ ୨୮ ତାରିଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ କରିଥିବା ଲିଖିତ ଅଭିଯୋଗ ମୁତାବକ ବନହରପାଲି ଥାନାରେ କାର୍ଯ୍ୟରତ ଥିବା ଜଣେ କନଷ୍ଟେବଳ ପୂର୍ବରୁ ବିବାହିତ ହୋଇଥିଲେ ହେଁ ତାଙ୍କସହ ପ୍ରେମ ସମ୍ପର୍କ ରଖି ଗତ ଅକ୍ଟୋବର ମାସରେ ତାଙ୍କୁ ବିବାହ କରିଥିଲେ।

ଏବିଷୟରେ କନଷ୍ଟେବଳଙ୍କ ପରିବାର ଲୋକେ ଜାଣିବା ପରେ ଉଭୟଙ୍କୁ ଘରକୁ ଡାକିଥିଲେ। ଏବଂ ସେଠାରେ ଜନନୀଙ୍କୁ ଏକ କୋଠରୀ ଭିତରେ ବନ୍ଦ କରି ଶାରୀରିକ ଏବଂ ମାନସିକ ନିଯ୍ୟାତନା ଦେଇଥିଲେ। ଏଥିରେ ଭାଙ୍ଗିପଡି ଜନନୀ କୌଣସି ଏକ ଔଷଧକୁ ମାତ୍ରାଧିକ ଭାବରେ ସେବନ କରି ଅସୁସ୍ଥ ହୋଇପଡିଥିଲେ। ଫଳରେ କନଷ୍ଟେବଲଙ୍କ ପରିବାର ଲୋକେ ତାଙ୍କୁ ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ ସେଠାରୁ ସୁସ୍ଥ ହେଲାପରେ ବନହରପାଲି ଥାନାକୁ ଆଣି କନଷ୍ଟେବଲଙ୍କ ସହ ଦେଖା ନ କରିବା ପାଇଁ ଲିଖିତ ଭାବରେ ରଖିଥିଲେ। ଏହାପରେ ଜନନୀ ତାଙ୍କ କନ୍ଷ୍ଟେବଲ ସ୍ୱାମୀଙ୍କୁ ଦେଖା କରିବା ପାଇଁ ବନହରପାଲି ଯାଇଥିଲେ ହେଁ ତାଙ୍କ ସହ ଦେଖା କରାଇ ଦେଇନଥିଲେ। ଫଳରେ ଜନନୀ ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହୋଇ ତାଙ୍କୁ ନ୍ୟାୟ ପ୍ରଧାନ କରାଯାଉ ନହେଲେ ସେ ଆତ୍ମହତ୍ୟା କରିବେବୋଲି ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏହାପରେ ଜିଲ୍ଲା ଏସପି ବିକାଶ ଚନ୍ଦ୍ର ଦାସ ବନହରାପଲି ଥାନା ଅଧିକରୀଙ୍କୁ ଏକ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାର ଠିକ ଦୁଇ ଦିନ ପରେ ଜନନୀଙ୍କ ମୃତଦେହ ସେ ରହୁଥିବା ଭଡାଘରୁ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଏସପି ଏ ଘଟଣାର ସରଜମିନ ତଦନ୍ତ କରାଯିବ ଏବଂ ଯଦି କନଷ୍ଟେବଳଙ୍କ ଏଥିରେ ସମ୍ପୃକ୍ତି ରହିଥାଏ ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାଠନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Leave a comment