ଝିଅ ବିବାହ ସହାୟତା ୨୫ ହଜାରରୁ ୫୦ ହଜାରକୁ ବୃଦ୍ଧି । ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ମାଣ ଶ୍ରମିକମାନଙ୍କ ପକ୍ଷରୁ ନବୀନ ନିବାସ ଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୫୦୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଶ୍ରମିକ ସୁରକ୍ଷା ପୋଷାକ ପିନ୍ଧି ନବୀନ ନିବାସ ଠାରେ ପହଞ୍ଚିଥିଲେ । ଗତ ଦୁଇଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଘୋଷଣା କରି ସାରା ଦେଶରେ ନଜିର ସୃଷ୍ଟି କରିପାରିଛନ୍ତି ।

ବିଜେଡି ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ୨ଲକ୍ଷ ଟଙ୍କା ପାଉଥିଲେ, ଏହା ବୃଦ୍ଧି କରି ୪ଲକ୍ଷ ଟଙ୍କା ପ୍ରଦାନ କରିବାକୁଘୋଷଣା କରିଛନ୍ତି । ସାଧାରଣ ମୃତ୍ୟୁ ପାଇଁ ୧ଲକ୍ଷ ଟଙ୍କାରୁ ବୃଦ୍ଧି କରି ୨ଲକ୍ଷ ଟଙ୍କା କରାଯାଇଛି । ସେହିପରି ଝିଅ ବିବାହ ପାଇଁ ୨୫ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୬୦ବର୍ଷ ପରେ ପେନ୍‍ସନ୍‍ ୩୦୦ ଟଙ୍କାରୁ ବୃଦ୍ଧି କରାଯାଇ ୫୦୦ ଟଙ୍କା କରାଯାଇଛି । ୮୦ବର୍ଷ ପରେ ପେନ୍‍ସନ୍‍ ୫୦୦ ଟଙ୍କାରୁ ୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସମଗ୍ର ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୬ଲକ୍ଷ ୩୦ ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ସେଥିମଧ୍ୟରୁ ୧୭ଲକ୍ଷ ହିତାଧିକାରୀଙ୍କୁ ୧୫୦୦ କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରାଯାଇପାରିଛି । ଯଥା, ମୃତ୍ୟୁକାଳୀନ ସହାୟତା, ପାଠପଢ଼ିବା ସହାୟତା, ଝିଅ ବିବାହ, ସାଇକେଲ୍‍ ପ୍ରଦାନ, ଯନ୍ତ୍ରପାତି ପ୍ରଦାନ, ପ୍ରସୂତିକାଳୀନ ସହାୟତା ପ୍ରଭୃତି ଅନ୍ତର୍ଭୁକ୍ତ । ଭାରତବର୍ଷରେ ଓଡ଼ିଶା ଏକ ମଡେଲ୍‍ ରାଜ୍ୟ ଭାବରେ ଏହି କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀକରି ଆନ୍ତର୍ଜାତିକ ଶ୍ରମିକ ସଂଗଠନ ପକ୍ଷରୁ ଉଚ୍ଚ ପ୍ରଶଂସିତ ହୋଇପାରିଛି । ଆଜିର ଏହି କାର୍ଯ୍ୟକ୍ରମରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁବାସ ସିଂହ, କଲ୍ୟାଣ ବୋର୍ଡ ସଦସ୍ୟ ରାଜେନ୍ଦ୍ର ଦାସ, ଡିଭିଜିନାଲ୍‍ ଲେବର କମିଶନର ଶ୍ରୀ ପ୍ରଦୀପ କୁମାର ମହାପାତ୍ର, ଜିଲ୍ଲା ଶ୍ରମ ଅଧିକାରୀ ଅମ୍ବିକା ମିଶ୍ର, ସହ ଶ୍ରମ ଅଧିକାରୀ ସତ୍ୟ ଆଚାର୍ଯ୍ୟ, ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ରାଜୀବ ମହାନ୍ତି, ଶ୍ରମିକ ନେତ୍ରୀ ଶ୍ରୀମତୀ ସଂଯୁକ୍ତା ମହଲ, ଶ୍ରୀମତୀ ମଞ୍ଜୁ ମିଶ୍ର, ମହାବୀର ମିଶ୍ର, ଭାଗିରଥୀ ସେନାପତି, ବିରଞ୍ଚି ବିଶ୍ୱାଳ, ଜିତେନ୍‍ ଖଟୁଆ, ସୁନୀଲ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave a comment