ସଙ୍ଗୀତଜ୍ଞ ଦାମୋଦର ହୋତାଙ୍କ ଦେହାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଗୁରୁ ତଥା ପଣ୍ଡିତ ଦାମୋଦର ହୋତାଙ୍କ ଦେହାନ୍ତ । 87 ବର୍ଷ ବୟସରେ ମୃତ୍ୟୁ ହୋଇଥିବା ସୂଚନା । ଛାତି ଯନ୍ତ୍ରଣା କରିବାରୁ ଡାକ୍ତରଖାନା ନେବା ବାଟରେ ଆଖି ବୁଜିଛନ୍ତି ସଙ୍ଗୀତଜ୍ଞ । ଶନିବାର ରାତିରେ ମୃତ୍ୟୁ ଘଟିଥିବା ସୂଚନା । ତେବେ ଦାମୋଦର ହୋତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ପାଇଁ ଘୋଷଣା କରିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ତାଙ୍କ ଅବଦାନକୁ ଆଗାମୀ ପିଢ଼ି ମନେ ରଖିବ ବୋଲି କହଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ‘ଦାମୋଦର ହୋତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ସଙ୍ଗୀତର ଗବେଷଣା ଓ ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ଅମର ଆତ୍ମାର ସଦଗତି କାମନା କରୁଛି ।’ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ପଣ୍ଡିତ ହୋତା ୧୯୩୫ ମସିହାରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଓ ମାତାଙ୍କ ନାମ ଦଣ୍ଡିମଣି ଦେବୀ। ପିତା ଗୋପୀନାଥ ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଜାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳବାଦକ ଥିଲେ । ଶୈଶବ ଅବସ୍ଥାରୁ ହିଁ ପିତାଙ୍କ ସୁମଧୁର କଣ୍ଠରୁ ଜାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ ।