ବିଜେଡ଼ି ରୁ ବିଦା ହେବେ ଦାମ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବରୁ ନିଜ ବେଲଗାମ ତୁଣ୍ଡ ପାଇଁ ମନ୍ତ୍ରୀପଦ ହରାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ଗତ କିଛିଦିନ ହେବ ଡାକ୍ତର ଦାମୋଦର ରାଉତଙ୍କ ବୋଲ ମାନୁନି ତାଙ୍କ ତୁଣ୍ଡ । ଦଳ ବିରୋଧୀ ମନ୍ତବ୍ୟ ଦେଇଚାଲିଛନ୍ତି ଦାମ । ଆଉ ଏହି ମନ୍ତବ୍ୟର ଫାଇଦା ଉଠାଉଛନ୍ତି ଦାମ ବିରୋଧୀ ନେତା । ସେମାନେ ଦଳବଳ ସହ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ସହ ଦମଙ୍କୁ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବହିଷ୍କାର କରିବାକୁ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, କିଛିଦିନ ତଳୁ ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଦଳୀୟ ନେତା ମାନଙ୍କୁ ଦାମ ଟାର୍ଗେଟ କରିଆସୁଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଥିଲା । ତେଣୁ ବିଜେଡିରୁ ଦାମ ରାଉତଙ୍କୁ ବହିଷ୍କାର କରିବାକୁ ଦାବି ଜୋର ଧରିଛି । ଗତକାଲି ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାଶ ଓ ପ୍ରଶାନ୍ତ ମୁଦୁଲିଙ୍କ ପରେ, ଆଜି ଏରସମା – ବାଲିକୁଦା ଅଞ୍ଚଳର ହଜାରେରୁ ଉର୍ଦ୍ଧ କର୍ମୀମାନେ ଆସି ଦଳର ସୁପ୍ରିମୋଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଦାମ ବାରମ୍ବାର ଦଳ ବିରୋଧରେ ଗଣମାଧ୍ୟମ ସାମ୍ନାରେ ବୟାନ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଉ ବୋଲି ନବୀନଙ୍କୁ ଲିଖିତ ଆକାରରେ ଦେଇଥିଲେ । ଗତକାଲିଠାରୁ ଯାହା ଜଣାପଡୁଛି ଦାମ ବିରୋଧୀ ଏକତ୍ରିତ ହୋଇ ଦମଙ୍କୁ ପାନେ ଦେବାକୁ ସ୍ଥିର କରିସାରିଲେଣି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଉଥିବାରୁ ତାହା ପୂର୍ବରୁ ମୁଖ୍ୟମନ୍ତ୍ରୀ କିଛି ନିଷ୍ପତ୍ତି ନେଇପରନ୍ତି ବୋଲି ଆଶା କରାଯାଉଛି । ମାତ୍ର ମୁଖ୍ୟମନ୍ତ୍ରୀ ତରବରିଆ ଭାବେ କୌଣସି ନିଷ୍ପତ୍ତି ନେବାପାଇଁ ଚାହୁଁନାହାନ୍ତି । ଯାହାଦ୍ୱାରା ଦଳର ଭାବମୂର୍ତିରେ କୌଣସି ଆଞ୍ଚ ଆସିବ । କାରଣ ଆଗକୁ ସାଧାରଣ ନିର୍ବାଚନ ଅଛି । ଦାମ ଦଳ ବିରୋଧୀ ମନ୍ତବ୍ୟ ପାଇଁ ବହିଷ୍କୃତ ହେଲେ ବିରୋଧୀ ନେତା ମାନେ ଆଗାମୀ ନିର୍ବାଚନରେ ଏହାକୁ ବିଜେଡି ବିରୁଦ୍ଧରେ ଅସ୍ତ୍ର ଭାବରେ ବ୍ୟବହାର କରିବେ । ତେଣୁ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ କୌଣସି ସୁଯୋଗ ଦେବାକୁ ଚାହୁଁ ନାହାନ୍ତି ।

Leave a comment