ପୁଣି ବିଜେଡିକୁ ଫେରିବେ ଦାମ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତ ୨୦୧୯ ସାଧାରଣ ନିର୍ବାଚନରେ ଏରସମା ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ମାତ୍ର ସେଠାରେ ତାଙ୍କର ଶୋଚନୀୟ ଭାବେ ପରାଜୟ ହେଇଥିଲା । ତେବେ ଦାମଙ୍କ ପୁଅ ସମ୍ବିତ ବିଜେଡି ଟିକେଟରେ ପାରାଦୀପରୁ ନିର୍ବାଚନ ଲଢ଼ି ଜିତିଥିଲେ । ଏବେ ପୁଣି ଦାମ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ବାପା ଭାଜପାକୁ ଯାଇ ଖୁସି ନ ଥିବା ଭଳି ଲାଗୁଛି । ରାଜନୀତିରେ କୌଣସି କଥା ଅସମ୍ଭବ ନୁହେଁ । ଦଳର ସୁପ୍ରିମୋ ଚାହିଁଲେ ସେ ବିଜେଡିକୁ ଫେରିପାରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ବାପା ବର୍ଜନୀୟ ବ୍ୟକ୍ତିବିଶେଷ ନୁହଁନ୍ତି । ସେ ଜନତା ଦଳରୁ କ୍ୟାରିୟର ଆରମ୍ଭ କରିଥିଲେ । ତେଣୁ ବିଜେପି ଦଳରେ ଯୋଗଦେବା ପରେ ତାଙ୍କୁ ସେହିଭଳି ଜନସମର୍ଥନ ମିଳିଲାନି ବୋଲି ସମ୍ବିତ କହିଥିଲେ ।

ତେବେ ସମ୍ବିତଙ୍କ କଥାର ଉତ୍ତରରେ ଦାମ ଗଣମାଧ୍ୟମକୁ କହିଛନ୍ତି, ରାଜନୀତିରେ ହାର ଜିତ ଏକ ପ୍ରକ୍ରିୟା । ମୁଁ ବିଜେପି ଲୋକ ମୋ ପୁଅ ବିଜେଡିର । ମୁଁ ଖୁସି ନାହିଁ ସେ କେମିତି ଜାଣିଲା । ସେ ପୁଅ ହିସାବରେ ନୁହେଁ ବିଜେଡି ବିଧାୟକ ଭାବେ ଏଭଳି କହିଥାଇ ପାରନ୍ତି ବୋଲି ଦାମ କହିଛନ୍ତି । ଉଭୟ ବାପ ପୁଅଙ୍କ ଏଭଳି ବୟାନବାଜୀକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave a comment