ବିଜେଡିରୁ ବିତାଡ଼ିତ ହେଲେ ଦାମ ବାବୁ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାହା ଚର୍ଚ୍ଚା ହେଉଥିଲା ଠିକ ସେଇଆ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ତାଙ୍କ ବେଲଗାମ ତୁଣ୍ଡ ପାଇଁ ଦଳରୁ ବିଦା କରିଛନ୍ତି । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ, ବରିଷ୍ଠ ନେତା ଦମଦାର ରାଉତଙ୍କୁ ବହିଷ୍କାର କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏଠାରେ ଟିକେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ନବୀନ ବାବୁ ଦିଲ୍ଲୀରେ ଥାଇ ନିର୍ଦ୍ଦେଶ ଦେଇ ଦାମଙ୍କ ବେଲଗାମ ତୁଣ୍ଡରେ ଲଗାମ ଲଗାଇବା ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।

ପୂର୍ବରୁ ନିଜ ବେଲଗାମ ତୁଣ୍ଡ ପାଇଁ ମନ୍ତ୍ରୀପଦ ହରାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ଗତ କିଛିଦିନ ହେବ ଡାକ୍ତର ଦାମୋଦର ରାଉତଙ୍କ ବୋଲ ମାନୁନଥିଲା ତାଙ୍କ ତୁଣ୍ଡ । ଦଳ ବିରୋଧୀ ମନ୍ତବ୍ୟ ଦେଇଚାଲିଥିଲେ ଦାମ । ଆଉ ଏହି ମନ୍ତବ୍ୟର ଫାଇଦା ଉଠାଇଛନ୍ତି ଦାମ ବିରୋଧୀ ନେତା । ସେମାନେ ଦଳବଳ ସହ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ସହ ଦମଙ୍କୁ ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ଦଳରୁ ବହିଷ୍କାର କରିବାକୁ ଲିଖିତ ଅଭିଯୋଗ କରିଥିଲେ ।

ବହୁ ଦିନ ପରେ ଆଜି ଅବଶ୍ୟ ଦାମ ବାବୁଙ୍କ ସ୍ୱର ଟିକେ ବଦଳି ଥିଲା । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ପ୍ରଶଂସା କରିଥିଲେ । କହିଥିଲେ ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୌଣସି ଭୁଲ ନାହିଁ । ସବୁ ଭୁଲ ତାଙ୍କ ଅଧିନସ୍ଥ କର୍ମଚାରୀଙ୍କର । ସେମାନେ ନିଜ ଦାଇତ୍ୱ ଠିକରେ କରୁନାହାନ୍ତି । ମାତ୍ର ଏସବୁ ମନ୍ତବ୍ୟ ଦେବାରେ ବହୁତ ଡେରି ହେଇଯାଇଥିଲା । ଦାମ ବାବୁଙ୍କ ପୂର୍ବର ଶବ୍ଦ ବାଣରେ ଘାଇଲା ହୋଇଥିବା ବିଜେଡିକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାର ମଲମ କାମ କରିନଥିଲା । ଶେଷରେ ଏହାର ପରିଣାମ ସ୍ୱରୂପ ତାଙ୍କୁ ବିଜେଡିରୁ ବିତାଡ଼ିତ କରାଗଲା ।

ସୂଚନା ଅନୁଯାୟୀ, କିଛିଦିନ ତଳୁ ସମବାୟ, ଓମଫେଡ, ଚାରା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ନୀତି ହୋଇଥିବା ନେଇ ଦଳୀୟ ନେତା ମାନଙ୍କୁ ଦାମ ଟାର୍ଗେଟ କରିଆସୁଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଥିଲା । ତେଣୁ
ବିଜେଡିରୁ ଦାମ ରାଉତଙ୍କୁ ବହିଷ୍କାର କରିବାକୁ ଦାବି ଜୋର ଧରିଛି । ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାଶ ଓ ପ୍ରଶାନ୍ତ ମୁଦୁଲିଙ୍କ ପରେ ଗତକାଲି ଏରସମା – ବାଲିକୁଦା ଅଞ୍ଚଳର ହଜାରେରୁ ଉର୍ଦ୍ଧ କର୍ମୀମାନେ ଆସି ଦଳର ସୁପ୍ରିମୋଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ । ସେମାନେ ଦାମ ବାରମ୍ବାର ଦଳ ବିରୋଧରେ ଗଣମାଧ୍ୟମ ସାମ୍ନାରେ ବୟାନ ଦେଉଥିବାରୁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଉ ବୋଲି ନବୀନଙ୍କୁ ଲିଖିତ ଆକାରରେ ଦେଇଥିଲେ । ଗତକାଲିଠାରୁ ଯାହା ଜଣାପଡୁଥିଲା ଦାମ ବିରୋଧୀ ଏକତ୍ରିତ ହୋଇ ଦମଙ୍କୁ ପାନେ ଦେବାକୁ ସ୍ଥିର କରିସାରିଲେଣି ।

Leave a comment