ବନ ବିଭାଗକୁ ସୁନ୍ଦରୀ ଅଡୁଆ: ନନ୍ଦନକାନନ ସ୍ଥାନାନ୍ତର ପାଇଁ ମନାକଲା ସି.ଜେଡ୍‌.ଏ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରୀକୁ ନେଇ ଅଡୁଆରେ ପଡିଛି ବନ ବିଭାଗ । ଅନୁଗୋଳ ସାତକୋଶିଆରେ ବାଘ ଵଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିବା ବେଳେ ସୁନ୍ଦରୀକୁ ଜଙ୍ଗଲରେ ରଖିବାରେ ବିଫଳ ହୋଇଥିଲା ବନ ବିଭାଗ । ଫଳରେ ସୁନ୍ଦରୀକୁ ନନ୍ଦନକାନନ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ(ସି.ଜେଡ୍‌.ଏ) ସୁନ୍ଦରୀକୁ ନନ୍ଦନକାନନ ସ୍ଥାନାନ୍ତର କରିବାକୁ ସିଧାସଳଖ ମନା କରିଦେଇଛନ୍ତି । ଜାତୀୟ ଚିଡ଼ିଆଖାନା ନୀତି (ଏନ୍‌.ଜେଡ୍‌.ପି)ଅନୁଯାୟୀ ଜଙ୍ଗଲରୁ ଧରା ଯାଇଥିବା ପଶୁଙ୍କୁ ଚିଡିଆଖାନାରେ ରଖାଯାଇ ପାରିବ ନାହିଁ । ଏ ନେଇ ପି.ସି.ସି.ଏଫ୍‌ ସେଣ୍ଟ୍ରାଲ ଜୁ ଅଥରିଟିର ସଦସ୍ୟ ସଚିବ ଡି.ଏନ୍. ସିଂହ ରାଜ୍ୟ ସରକାରଙ୍କ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସନ୍ଦୀପ ତ୍ରିପାଠୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ନ୍ୟାଶନାଲ ଜୁ ପଲିସି-୧୯୯୮ ଅନୁଯାୟୀ ପିଲା ଜନ୍ମଦେବାକୁ ଥିବା କିମ୍ବା ନୂତନ ବଂଶବିସ୍ତାର ପାଇଁ ରକ୍ତଦେବା ନିମନ୍ତେ ବଣରୁ ନନ୍ଦନକାନନକୁ ବନ୍ୟ ପ୍ରାଣୀମାନଙ୍କୁ ନିଆଯାଇପାରିବ ।

ସୂଚନାଯୋଗ୍ୟ, ବାଘ ବଂଶ ବୃଦ୍ଧି କରିବାକୁ ରାଜ୍ୟ ସରକାର ସୁନ୍ଦରୀକୁ ବାନ୍ଧବଗଡ଼ରୁ ଜୁନ୍‌ ୨୮ତାରିଖରେ ଆଣି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଛାଡିଥିଲେ । ତେବେ ସୁନ୍ଦରୀ ଅନୁଗୋଳ ଜିଲ୍ଲାର ହାତୀବାରି ଅଞ୍ଚଳରେ ଦୁଇଜଣ ବ୍ୟକ୍ତିଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ପରେ ବନ ବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ରାଇଗୁଡ଼ା ଏନ୍‌କ୍ଲୋଜରରେ ରଖିଛି ।

Leave a comment

You cannot copy content of this page