ଏମ୍ସ ଭୁବନେଶ୍ୱର ପକ୍ଷରୁ ସାଇକ୍ଲୋଥନ୍

0

ଭୁବନେଶ୍ୱର : ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିବା ନେଇ ଜନସାଧାରଣଙ୍କୁ ଉତ୍ସାହିତ କରିବା ଏବଂ ଏହି ଅଭିଯାନରେ ନିଜକୁ ସାମିଲ କରିବାର ମହତ ଉଦ୍ଦେଶ୍ୟ ନେଇଏମ୍ସ ଭୁବନେଶ୍ୱର ପକ୍ଷରୁ ଏକ ସାଇକ୍ଲୋଥନ୍ ଗତକାଲି ଆୟୋଜିତ ହୋଇଯାଇଛି । ସ୍ୱଚ୍ଛତା ପଖୱଡ଼ା ଅଭିଯାନର ଅଂଶ ସ୍ୱରୂପ ଏମ୍ସ ଭୁବନେଶ୍ୱର ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ସହଯୋଗରେ ଏହି ସାଇକ୍ଲୋଥନ୍ ଅନୁଷ୍ଠିତ ହୋଇଥିଲା । ଏମ୍ସ ଭୁବନେଶ୍ୱରର ୨୭୦ରୁ ଅଧିକ ଡାକ୍ତରୀ ଛାତ୍ର, ଡାକ୍ତର ଏବଂ କର୍ମଚାରୀ ଏହି ସାଇକ୍ଲୋଥନରେ ଅଂଶଗ୍ରହଣ କରିଥିଲେ । ଏମ୍ସ ପରିସରରୁ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥନ୍ ଏସ୍ଓଏସ୍ ଚିଲ୍ଡ୍ରେନ ଭିଲେଜ୍ରେ ସମାପ୍ତ ହୋଇଥିଲା । ଏମ୍ସ ଭୁବନେଶ୍ୱର ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ଏହି ସାଇକ୍ଲୋଥନ୍କୁ ପତାକା ଦେଖାଇ ଶଭାରମ୍ଭ କରିଥିଲେ । ପରିଚ୍ଛନ୍ନତାକୁ ଏକ ସଂକଳ୍ପ ଭାବେ ପରିଣତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀମାନେ ସାଇକେଲ୍ ଚଲାଇ ସ୍ୱଚ୍ଛ ପରିବେଶ, ସର୍ବସାଧାରଣ ସ୍ଥାନଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା, ପ୍ଲାଷ୍ଟିକ ମୁକ୍ତ ଭାରତ ଆଦିର ବାର୍ତ୍ତା ପ୍ରଦାନ କରିଥିଲେ ।

ପୁଲିସ୍ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏସ୍ଓଏସ୍ ଶିଶୁ ଗ୍ରାମରେ ଅନୁଷ୍ଠିତ ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍ଓଏସ୍ ଶିଶୁ ଗ୍ରାମ ନିର୍ଦ୍ଦେଶକ ଅବିନାଶ କୁମାର ହୋତା, ଏମ୍ସ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି, କୁଳସଚିବ ବି ବି ମିଶ୍ର, ହସ୍ପିଟାଲ୍ ପ୍ରଶାସନ ବିଭାଗ ମୁଖ୍ୟ ତଥା କାୟାକଳ୍ପ ନୋଡାଲ୍ ଅଧିକାରୀ ଡ. ଜବାହର ଏସ୍ ପିଲ୍ଲାଇ, ଶିଶୁ ସର୍ଜରୀ ବିଭାଗର ଡ. କନିଷ୍କ ଦାସ, ଅତିରିକ୍ତ ପ୍ରଫେସର ହସ୍ପିଟାଲ୍ ପ୍ରଶାସନ ଡ ଏମ୍ ସି ସାହୁ ଓ ଏସ୍ଓଏସ୍ ଶିଶୁଗ୍ରାମର ମହାସଚିବ ସୁମନ୍ତ କର ଉପସ୍ଥିତ ଥିଲେ ।

Leave a comment